ବଲାଙ୍ଗୀର: ବିଶ୍ଵ ରେକର୍ଡ କରିଥିବା ବାଲୁକା କଳାକାର ଓମ୍ ପ୍ରକାଶ ସାହୁଙ୍କ 40 ଫୁଟ ଉଚ୍ଚର ବାଲୁକା କଳା । ମକର ଅବସରରେ ଏହି ସୁଉଚ୍ଚ ବାଲୁକା କଳା କରିଛନ୍ତି ଓମ । ଯାହାକୁ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି । ତେବେ ଓଡ଼ିଶାର ଐତିହ୍ୟ ଓ କଳା ସଂସ୍କୃତି ଥିମ ଉପରେ ପର୍ଯ୍ୟବେଶିତ ଏହି ବାଲୁକା କଳାକୁ ପ୍ରସ୍ତୁତ କରିବା ପାଇଁ 15 ଦିନ ପରିଶ୍ରମ କରିଛନ୍ତି ଓମ ।
ବଲାଙ୍ଗୀରର ପ୍ରସିଦ୍ଧ ତଥା ବାଲୁକା କଳାରେ ବିଶ୍ବ ରେକର୍ଡଧାରୀ କଳାକାର ଓମ୍ ପ୍ରକାଶ ସାହୁ ପୁଣି ଏକ 40 ଫୁଟ ଉଚ୍ଚ ବାଲୁକା କଳା ତିଆରି କରିଛନ୍ତି । ବଲାଙ୍ଗୀର ଗୁଡଭେଲା ବ୍ଲକ ଅନ୍ତର୍ଗତ ପେନ୍ଦୀମୁଣ୍ଡା ତେଲ ନଦୀ କୂଳରେ ସେ ଏହି କଳାକୃତି ତିଆରି କରିଛନ୍ତି । ଏଥିପାଇଁ ତାଙ୍କୁ 15 ଦିନର ସମୟ ଲାଗିଛି । ଏହାର ଥିମ୍ ଓଡ଼ିଶାର ଐତିହ୍ୟ ଓ କଳା ସଂସ୍କୃତି ଉପରେ ପର୍ଯ୍ୟବେଶିତ । ତେବେ ଏହାକୁ ସେ ତିଆରି କରିବା ପାଇଁ ମୋଟ ଆଠ ହଜାର ଟନ୍ ବାଲି ବ୍ୟବହାର କରିଛନ୍ତି । ଏହାସହ ଏହି କଳାକୃତିରେ ଓଡ଼ିଶାର ଶ୍ରୀମନ୍ଦିର ଠାରୁ ନେଇ ବଲାଙ୍ଗୀର ରାଣୀପୁର ଝରିଏଲ୍ ଓ ଅନେକ କଳା ସଂସ୍କୃତି ପର୍ଯ୍ୟନ୍ତ ଝଲକ ରହିଛି ।
ଏହା ମଧ୍ୟ ପଢ଼ନ୍ତୁ.......ପୁରୀ ବେଳାଭୂମିରେ ବାଲିରେ ନିର୍ମାଣ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ
ଓମଙ୍କ ଉକ୍ତ ବାଲୁକା କଳାଟିକୁ ଆଖ ପାଖର ପ୍ରାୟ ପାଞ୍ଚଟି ଜିଲ୍ଲାର ଲୋକେ ଦେଖିବା ପାଇଁ ସେଠି ଭିଡ଼ ଜମାଉଛନ୍ତି । ବାଲୁକା ଶିଳ୍ପୀ ଓମ୍ ପ୍ରକାଶ ସାହୁ ପୂର୍ବରୁ ମଧ୍ୟ ଏଭଳି ଉଚ୍ଚ ବାଲୁକା କଳା ପ୍ରସ୍ତୁତ କରି ଗିନିଜ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି । ସେପଟେ ବାଲୁକା ଶିଳ୍ପୀ ଓମ୍ ପ୍ରକାଶ ସାହୁ କହିଛନ୍ତି ଯେ, ଗତ ଦୁଇ ବର୍ଷ ହେବ ସେ ଏଠି ଚାଲିଥିବା ବିରାଟ ମକର ମେଳାରେ ଏଭଳି ଉଚ୍ଚ ବାଲୁକା କଳା ତିଆରି କରିଆସୁଛନ୍ତି । ଏହି ଅଞ୍ଚଳ ପାଞ୍ଚଟି ଜିଲ୍ଲାର ସୀମା ହୋଇଥିବାରୁ ଏଠି ଲୋକଙ୍କ ପ୍ରବଳ ଭିଡ଼ ଜମୁଛି । ନିଜ ଉଦ୍ୟମରେ ସେ ଏଭଳି ଖର୍ଚ୍ଚ ବହୁଳ କଳା ତିଆରି କରି ବିଶ୍ୱ ରେକର୍ଡ଼ କରିଛନ୍ତି । ଏହାସହ ଆଗକୁ ଯଦି ପ୍ରଶାସନ କିମ୍ବା ସରକାରଙ୍କ ସହୋଯୋଗ ମିଳିଲେ ଏହି କଳା ସବୁ ବର୍ଷ ଏଠି କରି ପାରିବେ ଏବଂ ଲୋକେ କିଛି ନୂଆ ଦେଖିବେ ଓ ଶିକ୍ଷାଲାଭ କରିପାରିବେ ବୋଲି ସେ କହିଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର