ବଲାଙ୍ଗୀର: ବଲାଙ୍ଗୀରରେ ଶାସକ ବିଜେଡି ଦଳର ଦାଦାଗିରି ଅଭିଯୋଗ । କିଛି ବିଜେଡି କର୍ମୀଙ୍କ ମରଣାନ୍ତକ ଆକ୍ରମଣରେ ଜଣେ କୋଶଳ କର୍ମୀ ଗୁରୁତର ଆହତ ହୋଇଥିବାର ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ବଲାଙ୍ଗୀର ଖପ୍ରାଖୋଲ ଥାନା ଅନ୍ତର୍ଗତ ବେଙ୍କେରା ଗ୍ରାମର ଆଦିବାସୀ ଯୁବକ ରାଜୀବ ରଞ୍ଜନ ବରିହା କୋଶଳ ଦଳରେ ରହି ସକ୍ରିୟ ଭାବରେ କାର୍ଯ୍ୟ କରି ଆସୁଥିଲେ ଏବଂ ସେହି ଅଞ୍ଚଳରେ ହେଇଥିବା ଦୁର୍ନୀତି ବିରୋଧରେ ଲଢେ଼ଇ କରୁଥିଲେ ।
ତେବେ ଏହାକୁ ନେଇ ସ୍ଥାନୀୟ ପାଟଣାଗଡ଼ ବିଧାୟକଙ୍କ କିଛି ଖାସ ତଥା ବିଜେଡ଼ିର କର୍ମୀମାନେ ତାଙ୍କୁ ଧମକ ଦେବା ସହ ମରଣାନ୍ତକ ଆକ୍ରମଣ କରିଥିଲେ। ଯେଉଁଥିରେ ଯୁବକ ଜଣକ ଗୁରୁତର ଆହତ ହୋଇଥିବା ବେଳେ ପ୍ରଥମେ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ୍ ଓ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସେପଟେ ବିଧାୟକଙ୍କ ଦୁର୍ନୀତିମୂଳକ କାମକୁ ବିରୋଧ କରିବାରୁ ତାଙ୍କୁ ଏହି ଆକ୍ରମଣ କରିଥିବାର ଆହତ ଯୁବକ ଅଭିଯୋଗ କରିଛନ୍ତି।
ସେପଟେ ଶାସକ ବିଜେଡି ଦଳର ଏହି ଆଚରଣକୁ ସବୁଠି ନିନ୍ଦା କରା ଯାଇଥିବା ବେଳେ ବଲାଙ୍ଗୀର କୋଶଳ ସମନ୍ଵୟ ସମିତି ଓ ଆଦିବାସୀ ସଂଘ ଏହାକୁ ତୀବ୍ର ବିରୋଧ କରିଛି । କୋଶଳ ସମନ୍ଵୟ ସମିତି ତଥା ଆଦିବାସୀ ସଂଘ ପକ୍ଷରୁ ଖପ୍ରାଖୋଲ ଥାନା ଘେରାଉ କରାଯାଇଥିଲା। ତେବେ ଅଭିଯୁକ୍ତ ବିଜେଡି କର୍ମୀଙ୍କୁ ଶୀଘ୍ର ଗିରଫ କରାନଗଲେ ଏମାନେ ଆଗକୁ ସାରା କୋଶଳାଞ୍ଚଳରେ ଆନ୍ଦୋଳନ କରିବେ ବୋଲି କହିଛନ୍ତି।
ସେପଟେ ପୋଲିସ୍ ଏହି ମାମଲାର ନିରପେକ୍ଷ ତଦନ୍ତ କରୁଥିବା ବେଳେ ଏଥିରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କହିଛି। ସେହିପରି ଫେରାର ଥିବା ଅନ୍ୟ ଦୁଇ ଜଣଙ୍କୁ ଧରିବା ପାଇଁ ପୋଲିସ ତନାଘନା ଜାରି ରଖିଥିବା କହିଛି। ବଲାଙ୍ଗୀରରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିର୍ବାଚନୀ ହିଂସାର ଅଭିଯୋଗ ହେଲାଣି। ତେଣୁ ଏଥିପାଇଁ ଆଗକୁ ପ୍ରଶାସନ ଓ ପୋଲିସ୍ କଠୋର ହେବାକୁ ଦାବି ହୋଇଛି।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ