ବଲାଙ୍ଗୀର: ଜିଲ୍ଲାପାଳ ଓ କଣ୍ଟାବାଞ୍ଜି ବିଧାୟକ ମୁହାଁମୁହିଁ ହେବା ଘଟଣା ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି । ବଲାଙ୍ଗୀର ପ୍ରଶାସନିକ ସେବା ସଂଘ ଏହି ଘଟଣା ନେଇ ନିନ୍ଦା ପ୍ରକାଶ କରିଥିଲା । ଜିଲ୍ଲାପାଳଙ୍କ ପ୍ରତି ବିଧାୟକଙ୍କ ଏଭଳି ଆଚରଣକୁ ବିରୋଧ କରି ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ କଳାବ୍ୟାଚ ପରିଧାନ କରି ପ୍ରତିବାଦ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ବିଧାୟକ-ଜିଲ୍ଲାପାଳ ମୁହାଁମୁହିଁ ଘଟଣା, ପ୍ରଶାସନିକ ସେବା ସଂଘର ଆନ୍ଦୋଳନ ଚେତାବନୀ
ଗତ 12 ତାରିଖରେ ବଲାଙ୍ଗୀର ପ୍ରଶାସନିକ ସେବା ସଂଘ ଏହି ଘଟଣାକୁ ନିନ୍ଦା କରିଥିଲା । ବିଧାୟକଙ୍କ ସର୍ବସମ୍ମୁଖରେ ଜିଲ୍ଲାପାଳ ତଥା ଗ୍ରାମ୍ୟ ଉନ୍ନୟନ ଅଧିକାରୀଙ୍କୁ ଅସମ୍ମାନ କରିବା ବ୍ୟଥିତ ବିଷୟ ବୋଲି କହିଥିଲା । ଏନେଇ ପ୍ରତିବାଦ କରିବାକୁ ମଧ୍ୟ ଚେତାବନୀ ଦେଇଥିଲେ । ଏହି କ୍ରମରେ ଆଜି (ସୋମବାର) ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ କଳା ବ୍ୟାଚ ପରିଧାନ କରି ଶାନ୍ତି ଶୃଙ୍ଖଳାର ସହ ପ୍ରତିବାଦ କରୁଛନ୍ତି । ସେପଟେ କଣ୍ଟାବାଞ୍ଜିରେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସମର୍ଥକ ବଙ୍ଗୋମୁଣ୍ଡା, କଣ୍ଟାବାଞ୍ଜି ଇତ୍ୟାଦି ଠାରେ ଧାରଣା ଦେଇଛନ୍ତି । ବ୍ଲକକୁ ଆସୁଥିବା ଅନୁଦାନ ବେଆଇନ ଭାବରେ ଜିଲ୍ଲାପାଳ କାଟି ଦେବାର ତଦନ୍ତ ଦାବି କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ସମ୍ପ୍ରସାରଣ ହେବ ଅନୁଗୋଳ ଏନଏଚ୍-୫୩, ରାଜପଥକୁ ଦୁଇ ଲେନ୍ ବିଶିଷ୍ଟ କରିବାକୁ ୧୭୪ କୋଟି ମଞ୍ଜୁର
ସୂଚନା ଥାଉକି, ଗତ 13 ତାରିଖରେ ବଲାଙ୍ଗୀର ଜିଲ୍ଲା ପରିଷଦ ବୈଠକରେ ବିଜୁ କେବିକେ ଯୋଜନାରେ ଅନୁଦାନ ଅର୍ଥକୁ ଜିଲ୍ଲାପାଳ ମନମୁଖି ଭାବେ କାଟି ଦେଇଥିବା କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଥିଲେ । ଏହାକୁ ନେଇ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରବର୍ତ୍ତୀ ସମୟରେ ସନ୍ତୋଷ ସାଲୁଜା ନିଜ ଚୌକି ଛାଡ଼ି ଜିଲ୍ଲାପାଳଙ୍କ ପାଖକୁ ଯାଇ ତାଙ୍କ ଉପରେ ବର୍ଷିଥିଲେ । "ଆପଣ କିଏ ? ଆପଣଙ୍କର କଣ କ୍ଷମତା ରହିଛି ?" ମନମୁଖୀ ଭାବେ ଟଙ୍କା କାଟିଦେବା ନେଇ ସେ ଯୁକ୍ତି କରିଥିଲେ । ଯାହା ଫଳରେ ବୈଠକରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା । ତେବେ ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହୋଇଥିବା ବେଳେ ବଲାଙ୍ଗୀର ପ୍ରଶାସନିକ ସେବା ସଂଘ ଆନ୍ଦୋଳନ ଚେତାବନୀ ଦେଇଛି । ଜିଲ୍ଲାପାଳଙ୍କୁ ଏଭଳି ଆଚରଣ ପ୍ରଦର୍ଶନ କରିବାକୁ ଏମାନେ ଦୃଢ଼ ନିନ୍ଦା କରିଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର