ବଲାଙ୍ଗୀର: ଧିରେ ଧିରେ ସାମ୍ୟକ ଭାବେ କୋହଳ ହେଉଛି କୋରୋନା କଟକଣା । ଜୀବନ ଜୀବିକା ମଧ୍ୟ ସ୍ବାଭାବିକ ହେବାକୁ ଲାଗିଲାଣି । ମାତ୍ର ଏଯାଏ ବଦଳି ନାହିଁ ପ୍ରବାସୀ ଦାଦନ ଶ୍ରମିକଙ୍କ ଚିତ୍ର । ଦୀର୍ଘ 3 ମାସରୁ ଉର୍ଦ୍ଧ୍ବ ହେବ ରୋଜଗାର ହୀନ ହୋଇ ବସି ରହିଛନ୍ତି ଏମାନେ । କେନ୍ଦ୍ର ଓ ରାଜ୍ୟର ବିଡା ବିଡା ଯୋଜନା ଏମାନଙ୍କ ପାଖରେ ସତେ ଯେମିତି ମୂଲ୍ୟହୀନ ହୋଇପଡିଛି । କୋରୋନା ଭୂତାଣୁର ଭୟ ପାଇଁ ପୁଣିଥରେ ପଡୋଶୀ ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ସାହାସ ଜୁଟାଇ ପାରୁ ନାହାଁନ୍ତି ଏମାନେ ।
ରାଜ୍ୟରେ ବଲାଙ୍ଗୀର ଏକ ଶ୍ରମିକ ବହୁଳ ଜିଲ୍ଲା । ଲକଡାଉନ ପାଇଁ ଜୀବିକା ହରାଇ ଘରକୁ ଫେରିଥିବା ଶ୍ରମିକମାନେ ଏବେ କଣ କରିବେ କେମିତି ବଞ୍ଚିବେ ? ତାହା ଏବେ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିବା କଥା । ମାତ୍ର ଜିଲ୍ଲାରେ କାର୍ଯ୍ୟକାରୀ ହୋଇ ନାହିଁ ଏଯାଏଁ କୌଣସି ଯୋଜନା । ଯଦିଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ରାଜ୍ୟର ବଲାଙ୍ଗୀର ଜିଲ୍ଲାକୁ ସାମିଲ କରାଯାଇଛି । ମାତ୍ର ଏନେଇ ପ୍ରଶାସନ ପକ୍ଷରୁ କୌଣସି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇ ନାହିଁ ।
ତେବେ ସରକାରୀ ତଥ୍ୟ ଅନୁସାରେ ଲକଡାଉନ ଯୋଗୁଁ ଓଡିଶାକୁ 12 ଲକ୍ଷ ପ୍ରବାସୀ ଶ୍ରମିକ ଫେରିବାର ଥିବା ବେଳେ ଏଯାଏଁ 6 ଲକ୍ଷ ପହଞ୍ଚି ସାରିଛନ୍ତି । ସେହିପରି କେବଳ ବଲାଙ୍ଗିର ଜିଲ୍ଲାରୁ ବାର୍ଷିକ 2 ଲକ୍ଷରୁ ଅଧିକ ଲୋକେ ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି । କୋରୋନା ଯୋଗୁଁ ଏମାନେ ସେଠାରେ କାମଧନ୍ଦା ହରାଇବା ପରେ କୌଣସି ମତେ ନିଜ ଘରକୁ ଫେରିଛନ୍ତି । ଶ୍ରମିକ ସ୍ବତନ୍ତ୍ର ଟ୍ରେନ, ବସ, ସାଇକଲ ତଥା ଚାଲି ଚାଲି ପ୍ରାୟ 60 ହଜାରରୁ ଉର୍ଦ୍ଧ୍ବ ଶ୍ରମିକ ଘରକୁ ଫେରିଛନ୍ତି । ସେପଟେ ସଞ୍ଚିତ ଧନ ମଧ୍ୟ ଶେଷ ହେଲାଣି । ଫଳରେ ଏମାନଙ୍କ ଜୀବନ ଜୀବିକା ବିଶେଷ ରୂପେ ପ୍ରଭାବିତ ହୋଇଛି ।
ତେବେ ରାଜ୍ୟ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ନିଜେ ମାନିଛନ୍ତି ଯେ, ପଶ୍ଚିମ ଓଡିଶାରୁ ସର୍ବାଧିକ ଶ୍ରମିକ ବାହାର ରାଜ୍ୟକୁ କାମଧନ୍ଦା ପାଇଁ ଯାଇଥାନ୍ତି । ବଲାଙ୍ଗିର ଜିଲ୍ଲାରୁ ସବୁଠାରୁ ଅଧିକ ଦାଦନ ଏହିଭଳି ବାହାର ରାଜ୍ୟକୁ ଯାଇଥାନ୍ତି । ତେବେ ବର୍ତ୍ତମାନ ଏମାନେ ସମସ୍ତେ ଫେରିବାକୁ ଥିବା ବେଳେ ରାଜ୍ୟ ସରକାର ଏମାଙ୍କୁ ନେଇ ଚିନ୍ତିତ ଥିବାର କହିଛନ୍ତି ଶ୍ରମମନ୍ତ୍ରୀ । ତେବେ ଖୁବଶୀଘ୍ର କାମ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ । ଏନେଇ ମନ୍ତ୍ରୀ ଓ ସଚିବ ସ୍ତରୀୟ ବୈଠକ ସରିଛନ୍ତି ଓ ଖୁବଶୀଘ୍ର କାର୍ଯ୍ୟକାରୀ ହେବ । ମନରେଗା, ସ୍କିଲ ଡେଭଲପମେଣ୍ଟ ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ମନ୍ତ୍ରୀ କହିଛନ୍ତି ।
ବଲାଙ୍ଗିରରୁ ଏସକେ ମହମ୍ମଦ ୱାହିଦ୍, ଇଟିଭି ଭାରତ