ବଲାଙ୍ଗୀର: ଜିଲ୍ଲାର ଲୋଇସିଂହା ପୋଲିସ ହାତରେ ୩ ଜଣ ଡକାୟତ ଧରାପଡିଛନ୍ତି । ଏହି ଡକାୟତମାନେ ଆମପାଲି ଛକରେ କିଛି ଲୋକଙ୍କୁ ଅଟକାଇ ଡକାୟତି କରିଥିଲେ । ତଦନ୍ତ ବ୍ୟାହତ ହେବା ଆଶଙ୍କାରେ ଏ ସମ୍ପର୍କରେ ଅଧିକ ସୂଚନା ଦେବା ପାଇଁ ପୋଲିସ ମନା କରିଦେଇଛି । ସେପଟେ ଗ୍ରାମବାସୀ ଓ ପୋଲିସ୍ ଦ୍ବାରା ଗିରଫ ହୋଇଥିବା ଏହି ତିନି ଆନ୍ତଃରାଜ୍ୟ ଡକାୟତଙ୍କ ଗିରଫ ସମୟର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
ସୂଚନା ଥାଉ କି ଜିଲ୍ଲାର ସଦର ଥାନା ଲୋଇସିଂହା ବ୍ଲକ କୁଶଙ୍ଗ ଗ୍ରାମର ଜନ ରଞ୍ଜନ ନାୟକ ଓ ଜ୍ୟୋତିରଞ୍ଜନ ନାୟକ କୁଶଙ୍ଗ ଗ୍ରାମରୁ ଝାରମୁଣ୍ଡାକୁ ବାଇକରେ ଯାଉଥିବା ସମୟରେ ଏହି ଲୁଟ ହୋଇଥିଲା । କିଛି ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ଆକ୍ରମଣ କରିବା ସହିତ ଲ୍ୟାପଟପ, ମୋବାଇଲ ଓ ବ୍ୟାଗରେ ଥିବା ୩୫ ହଜାର ଟଙ୍କା ସହିତ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଛଡାଇ ନେଇ ଲୋଇସିଂହା ପଟକୁ ଫେରାର ହୋଇ ଯାଇଥିଲେ । ଏନେଇ ବଲାଙ୍ଗୀର ସଦର ଥାନାକୁ ଖବର ଦିଆଯିବା ପରେ ବିଭିନ୍ନ ଥାନାକୁ ଆଲର୍ଟ କରାଯାଇଥିଲା ।
ଲୋଇସିଂହା ପୋଲିସ ଡକାୟତମାନଙ୍କ ପିଛା କରି ସାଲେଭଟା-ହରଭଙ୍ଗା ରାସ୍ତାରେ ଥିବା ରେଲୱେ ଲେଭେଲ କ୍ରସିଂଠାରେ ସେମାନଙ୍କୁ କାବୁ କରିଥିଲା । ଡକାୟତମାନଙ୍କୁ କାବୁ କରିବା ସମୟରେ ସେମାନେ ଜନୈକ ହୋମଗାର୍ଡ ମୁଣ୍ଡରେ ପିସ୍ତଲ ଲଗାଇ ଫେରାର ହେବାକୁ ଉଦ୍ୟମ କରିବା ସହିତ ପୋଲିସ ଉପରକୁ ଢେଲାମାଡ଼ କରିଥିବା ଜଣାଯାଇଛି । ପରେ ପୋଲିସ-ଡକାୟତ ମଧ୍ୟରେ ଧସ୍ତାଧସ୍ତି ହେବା ସହିତ ଡକାୟତଙ୍କୁ କାବୁ କରାଯାଇଥିଲା ।
ଗିରଫ ଡକାୟତଙ୍କ ମଧ୍ୟରୁ ଜଣେ ଛତିଶଗଡ଼ ଅଞ୍ଚଳର ହୋଇଥିବାବେଳେ ଆଉ ଦୁଇଜଣ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଅଞ୍ଚଳର ବୋଲି ଜଣାପଡିଛି । ସେମାନଙ୍କ ସାଥୀରେ ଥିବା ଝାଡ଼ଖଣ୍ଡ ଅଞ୍ଚଳର ଜଣେ ଡକାୟତ ଫେରାର ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ଖବର ଲେଖାଯିବା ପର୍ଯ୍ୟନ୍ତ ଲୋଇସିଂହା ଥାନାରେ ଡକାୟତଙ୍କୁ ପଚରାଉଚୁରା ଜାରି ରହିଥିବାବେଳେ ଆଇଆଇସି ଲଳିତା ଲାକ୍ରା ଏ ସମ୍ପର୍କରେ କୌଣସି ସୂଚନା ଦେବାକୁ ମନା କରିଦେଇଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ