ବଲାଙ୍ଗୀର: ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜେପି ଜୋରଦାର ପ୍ରଚାର ଚଳାଇଛି। ପଶ୍ଚିମ ଓଡ଼ିଶାରେ ବିଜେପି 3 କେନ୍ଦ୍ରମନ୍ତ୍ରୀଙ୍କୁ ନେଇ ଦମ୍ ଦେଖାଇବ। ଏହି ଅବସରରେ ଆଜି ୩ କେନ୍ଦ୍ରମନ୍ତ୍ରୀ ରାମ କୃପାଳ ଯାଦବ, ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ କଣ୍ଟାବାଞ୍ଜି ଯିବାର ଗସ୍ତସୂଚୀ ରହିଛି । ପଛୁଆ ବର୍ଗ ଲୋକଙ୍କୁ ସମ୍ବୋଧିତ କରିବା ସହ କେନ୍ଦ୍ରର ବିଭିନ୍ନ ଯୋଜନା ବାବଦରେ ଲୋକଙ୍କୁ ବୁଝାଇବେ ବୋଲି ଜଣାପଡିଛି।
ବିଜେପିର ଭୋଟ ବ୍ୟାଙ୍କ ପଶ୍ଚିମ ଓଡ଼ିଶାରେ ଅଧିକ ରହିଛି । ତେଣୁ ଚଳିତ ନିର୍ବାଚନରେ କିଭଳି ଅଧିକରୁ ଅଧିକ ବିଧାୟକ ଓ ଲୋକସଭା ଆସନ ଜିତି ହେବ ସେ ନେଇ ଦଳ ରଣନୀତି ପ୍ରସ୍ତୁତ କରିଛି। କଣ୍ଟାବାଞ୍ଜିରେ ଆୟୋଜିତ ଏହି ସମାବେଶରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ସମେତ ପଶ୍ଚିମ ଓଡି଼ଶାରେ ବିଜେପିର ବରିଷ୍ଠ ନେତା ଓ କର୍ମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ୱାହିଦ୍, ଇଟିଭି ଭାରତ