ବଲାଙ୍ଗୀର: ଆରମ୍ଭ ହୋଇଛି ଦ୍ଵିତୀୟ ଅଲ୍ ଇଣ୍ଡିଆ ବଲାଙ୍ଗୀର ଓପନ ତଥା ବିଲୋ ଫିଡେ ରେଟିଙ୍ଗ୍ ଚେସ୍ ଟୁର୍ଣ୍ଣାମେଣ୍ଟ । ଯେଉଁଥିରେ ଦେଶର ପ୍ରାୟ ୪୦୦ରୁ ଊର୍ଦ୍ଧ୍ବ ଖେଳାଳି ଭାଗ ନେବେ । ତେବେ ଏଥିରେ ଖେଲାଳି ନିଜର ରାଙ୍କିଂ ବଢ଼ାଇବା ପାଇଁ ଖେଳିବେ ବୋଲି କହିଛନ୍ତି ଆୟୋଜକ । ଏହି ରାଙ୍କ୍ ଦ୍ବାରା ସେମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଟୁର୍ଣ୍ଣାମେଣ୍ଟ ଖେଳିବାର ଯୋଗ୍ୟତା ପାଇବେ । ତେବେ ବଲାଙ୍ଗୀର କିସ୍ କ୍ୟାମ୍ପସରେ ଆଜିଠାରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଯାହାର ଶୁଭ ଉଦ୍ଘାଟନ ପୂର୍ବତନ ସାଂସଦ ତଥା ଓଡିଶା ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଚେସ୍ ସଙ୍ଘ ସଭାପତି ଜିଏସ୍ ମହାପାତ୍ର କହିଛନ୍ତି, "ବଲାଙ୍ଗୀରରେ ଦ୍ଵିତୀୟ ଥର ପାଇଁ ଜାତୀୟ ସ୍ତରୀୟ ଫିଡେ ରେଟିଙ୍ଗ ଚେସ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି । ଏହାଦ୍ବାରା ଆଖ ପାଖ ସବୁ ଅଞ୍ଚଳର ଖେଳାଳି ଘର ପାଖରେ ରାଙ୍କିଂ ପାଇଁ ଖେଳି ପାରିବେ ।" ସେହିପରି ସେ ଆୟୋଜକଙ୍କୁ ଏଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ଚେସ୍ ଖେଳାଳି ସଞ୍ଜୟ ଦାସଙ୍କ କହିବା କଥା, ସେ ଛୋଟ ଦିନରୁ ଚେସ୍ ଖେଳୁଛନ୍ତି । ଏବେ ସେ ଏହି ଟୁର୍ଣ୍ଣାମେଣ୍ଟରେ ଖେଳି ଏକ ଭଲ ରାଙ୍କ ପାଇବେ ଓ ଆଗକୁ ଅନ୍ୟ ଟୁର୍ଣ୍ଣାମେଣ୍ଟ ଖେଳି ପାରିବେ ବୋଲି ଆଶା ରଖିଥିବା ସେ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶା କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଖବର, ଜାନୁଆରୀ ୯ରୁ ଆରମ୍ଭ ହେବ 'କଳିଙ୍ଗ ସୁପର କପ୍'
ସେହିପରି ଜିଲ୍ଲା ଚେସ୍ ସଂଘର ସମ୍ପାଦକ ପ୍ରିୟବ୍ରତ ପଣ୍ଡା କହିଛନ୍ତି, "ଦ୍ଵିତୀୟ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟ କରିବାର ସୁଯୋଗ ଆମେ ପାଇଛୁ । ଏବଂ ଏହାକୁ ସଫଳ କରିବା ପାଇଁ ଆମେ ସବୁ ଉଦ୍ୟମ କରିଛୁ । ଏଥର ୪୦୦ରୁ ଊର୍ଦ୍ଧ୍ବ ଖେଳାଳି ଭାଗ ନେବେ । ଏଥିରେ ଓପନ ରେଟିଙ୍ଗ୍ ତଥା ଫିଡେ ରେଟିଙ୍ଗ୍ ପାଇବାରେ ଖେଳାଳି ସଫଳ ହେବେ ।" ତେବେ ପୂର୍ବରୁ ୧୬ ଜଣ ଖେଳାଳି ଫିଡେ ରେଟିଙ୍ଗ୍ ପାଇଥିଲେ ଓ ଏଥର ମଧ୍ୟ ଆମ ଖେଳାଳି ନିହାତି ସଫଳ ହେବେ ବୋଲି ସେ ଆଶା ରଖିଥିବା କହିଛନ୍ତି । ସେପଟେ ଏହି ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନ କରିଥିବା ମୁଖ୍ୟ ଅତିଥି କଳିକେଶ ନାରାୟଣ ସିଂହଦେଓ କହିଛନ୍ତି, "ଏହି ଚେସ୍ ଖେଳ ଦ୍ବାରା ମସ୍ତିଷ୍କର ବିକାଶ ହୋଇଥାଏ । ଏଭଳି ଖେଳ ପ୍ରତି ଖେଳାଳିଙ୍କ ଆଗ୍ରହ ବଢିଛି ।" ତେଣୁ ଏଭଳି ଆୟୋଜନ ସେମାନଙ୍କୁ ବେଶ ସୁଯୋଗ ଦେବ ବୋଲି କଳିକେଶ କହିଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର