ବଲାଙ୍ଗୀର:ଖପ୍ରାଖୋଲ ଥାନା ଅଞ୍ଚଳରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ । ଆହତ ଯୁବକ ଶିବ ନାଏକ ମେଡିକାଲରେ ଭର୍ତ୍ତି । ପୋଲିସର ତଦନ୍ତ ଜାରି ।
ସୂଚନାଅନୁସାରେ, ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ପାଚେର ଗ୍ରାମର ଯୁବକ ଶିବ ନାଏକ ନିଜ ଗାଁରୁ ଦେଢ ଲକ୍ଷ ଟଙ୍କା ଧରି ପାଖ ଧାଣ୍ଡାମୁଣ୍ଡା ଗ୍ରାମକୁ ସିମେଣ୍ଟ ଓ ଲୁହାଛଡ କିଣିବା ପାଇଁ ବାହାରିଥିଲେ। ତେବେ ରାସ୍ତାରେ ପତରା ଜଙ୍ଗଲରେ ଜଣେ ଦୁର୍ବୃତ୍ତ ତାଙ୍କୁ ଧାରୁଆ ଅସ୍ତ୍ରରେ ଅତର୍କିତ ଭାବରେ ଆକ୍ରମଣ କରି ତାଙ୍କ ଠାରୁ ସବୁ ଟଙ୍କା ଲୁଟ କରି ଫେରାର ହୋଇ ଯାଇଥିଲା।
ସେପଟେ ସ୍ଥାନୀୟ ଲୋକେ ଯୁବକକୁ ଅଚେତ୍ ଅବସ୍ଥାରେ ଉଦ୍ଧାର କରି ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଯୁବକର ଅବସ୍ଥା ସଙ୍କଟପନ୍ନ ହେବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜକୁ ସ୍ଥାନାନ୍ତରିତ କରାଯାଇଛି।
ଅନ୍ଯପଟେ ଖପ୍ରାଖୋଲ ପୋଲିସ ସମ୍ପୃକ୍ତ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇନାହିଁ ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ