ଅନୁଗୋଳ: ମହଙ୍ଗା ପଡିଲା ଚୋର ପୀରତି । ବିଧବା ମହିଳାଙ୍କୁ ଲୁଚି ଛପି ପ୍ରେମ କରୁଥିଲେ ଯୁବକ । ରାତିରେ ଲୁଚିକି ଘରକୁ ଯା'ଆସ କରୁଥିଲେ । ଆଉ ପ୍ରେମ ଧରା ପଡିଯିବା ପରେ ହଟହଟା ହେଲେ ପ୍ରେମୀ ଯୁଗଳ । ବିଧବା ମହିଳା ଓ ପ୍ରେମିକକୁ ଅଂସଯତ ଅବସ୍ଥାରେ ଘରୁ ଉଦ୍ଧାର କରି ମାଡ ମାରିବା ସହିତ ଗାଁ ଦାଣ୍ଡରେ ବୁଲାଇ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲାର ତାଳଚେର କଣ୍ଢାଳ ପଞ୍ଚାୟତ ଅଞ୍ଚଳରେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଯାହା ସୂଚନା ମିଳିଛି, କଣ୍ଢାଳ ଅଞ୍ଚଳର ଜଣେ ବିଧବା ମହିଳା ଖଣିରେ ସୁରକ୍ଷାକର୍ମୀ ଭାବେ କାମ କରନ୍ତି । ବିବାହର ଅଳ୍ପ ଦିନ ପରେ ତାଙ୍କ ସ୍ବାମୀ ଆରପାରିକୁ ଚାଲି ଯାଇଥିଲେ । ଗତ କିଛି ଦିନ ହେଲା ବାଲୁଗାଁର ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ପରସ୍ପରକୁ ଭଲ ପାଉଥିଲେ ଓ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ନିବିଡ ହୋଇଥିଲା । ରାତିରେ ଯୁବକ ଜଣକ ଲୁଚି ଛପି ମହିଳାଙ୍କୁ ଦେଖା କରୁଥିଲେ । ଏ କଥା ଗାଁରେ ଧୀରେ ଧୀରେ ପ୍ରଘଟ ହେବାରେ ଲାଗିଥିଲା । ଗତକାଲି (ବୁଧବାର) ରାତିରେ ଯୁବକ ଜଣକ ମହିଳାଙ୍କୁ ଦେଖା କରିବାକୁ ଆସିଥିଲେ । ଏ ବିଷୟରେ ଘର ଲୋକ ଜାଣିପାରି ଉଭୟ ଥିବା କୋଠରୀକୁ ବାହାର ପଟୁ ତାଲା ପକାଇ ଦେଇଥିଲେ ।
ଏହାମଧ୍ୟ ପଢନ୍ତୁ : ସୀମା ଟପୁଛି ପାଶବିକତା, ଲିପ୍ଟ ଦେବା ବାହାନାରେ 80 ବର୍ଷୀୟ ବୃଦ୍ଧାଙ୍କୁ ଦୁଷ୍କର୍ମ
ଆଜି ସକାଳେ ସାହି ଲୋକଙ୍କୁ ଡାକି ଆଣି ଘର କବାଟ ଖୋଲିବା ପରେ ମହିଳା ଓ ତାଙ୍କ ପ୍ରେମିକଙ୍କୁ ମାଡ ମାରିବା ସହ ଦଉଡିରେ ବାନ୍ଧି ଦେଇଥିଲେ । ଦୁହିଁଙ୍କୁ ଗାଁ ଦାଣ୍ଡରେ ବୁଲାଇବା ପରେ ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ ଲୋକେ । ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ଏହି ହାଇଡ୍ରାମା ଚାଲିଥିଲା । ପରେ ପ୍ରେମୀ ଯୁବକଙ୍କ ପରିବାର ଲୋକଙ୍କୁ ଡକାଇ ଆପୋଷ ବୁଝାମଣା କରି ତାଙ୍କୁ ଛାଡିଥିଲେ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ନେଇ ବେଶ୍ ଚର୍ଚ୍ଚା ଜୋର୍ ଧରିଛି । ତେବେ ଘଟଣା ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି ।
ଇଟିଭି ଭାରତ, ଅନୁଗୋଳ