ଅନୁଗୋଳ: ଆଜିଠାରୁ (ସୋମବାର) ଅନୁଗୋଳରେ ଆରମ୍ଭ ହୋଇଛି ୧୮ ବର୍ଷରୁ ୪୪ ବର୍ଷଙ୍କ ପାଇଁ ଟୀକାକରଣ । ଏହି କ୍ୟାମ୍ପରେ ଦୈନିକ ପ୍ରାୟ ୧ ହଜାର ଲୋକଙ୍କୁ ଟୀକା ଦେବାର ଯୋଜନା କରାଯାଇଛି। ସେଥିପାଇଁ ଷ୍ଟାଡିଅମ ପଡ଼ିଆରେ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଏଭଳି କ୍ୟାମ୍ପ ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ, କିଭଳି ଅଧିକରୁ ଅଧିକ ଲୋକ ସହଜ ଓ ସୁବିଧାରେ ଟିକା ନେଇ ପାରିବେ । ପ୍ରଶାସନର ଏହି ପଦକ୍ଷେପକୁ ଜିଲ୍ଲାବାସୀ ସ୍ୱାଗତ କରିବା ସହ ପ୍ରସଂଶା କରିଛନ୍ତି।
ଅନୁଗୋଳରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ପ୍ରାୟ ୪ ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ବିଭିନ୍ନ କଟକଣା ସହ ବ୍ୟାପକ ଟୀକାକରଣ ଦ୍ୱାରା ହିଁ ଏହି ସଂକ୍ରମଣକୁ ବ୍ରେକ ଲଗାଇ ହେବ। ସେଥିପାଇଁ ଅନୁଗୋଳ ଜିଲ୍ଲାରେ ଆରମ୍ଭ ହୋଇଛି ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟିକାଦାନ । ଜିଲ୍ଲାରେ ଟୀକାକରଣକୁ ବ୍ୟାପକ କରିବା ପାଇଁ ମେଗା ଟୀକାକରଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଜି ଏଥିରେ ଯୋଡି ହୋଇଛି ୧୮ରୁ ୪୪ ବର୍ଷ ଟିକାଦାନ । ଏହି ବୟସ ବର୍ଗର ଟୀକାକରଣ ପାଇଁ ଅନଲାଇନରେ ସ୍ଲଟ ବୁକିଙ୍ଗ କରିବାକୁ ପଡିବ। କୋ-ୱିନ ଆପ କିମ୍ବା ୱେବସାଇଟକୁ ଯାଇ ଟୀକାକରଣ ପାଇଁ ସ୍ଲଟ ବୁକିଙ୍ଗ କରି ଟିକା ନେଇପାରିବେ।
ସକାଳେ ୯ ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ନ ୩ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଟିକା ନେବାକୁ ସମୟ ସ୍ଥିର କରାଯାଇଛି । ଦୈନିକ ପାଖାପାଖି ୧ ହଜାର ଲୋକଙ୍କୁ ଟିକା ଦେବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ନିଜେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଟୀକାକରଣ କ୍ୟାମ୍ପକୁ ଆସି ଟିକାଦାନ ବ୍ୟବସ୍ଥାର ତଦାରଖ କରିଛନ୍ତି । କିଭଳି ଅଧିକରୁ ଅଧିକ ଲୋକ ଟିକା ପାଇବେ ସେଥପାଇଁ ପ୍ରଶାସନ ପ୍ରସ୍ତୁତ ଥିବା କହିଛନ୍ତି ଜିଲ୍ଲାପାଳ । ଜିଲ୍ଲାର ସମସ୍ତ ବ୍ୟକ୍ତି ଟିକା ପାଇବା ପର୍ଯ୍ୟନ୍ତ ଏହି ମେଗା ଟୀକାକରଣ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଜଣାପଡ଼ିଛି।
ବୋହୁ ବିଳମ୍ବରେ ଅନୁଗୋଳ ୧୮ରୁ ୪୪ ବର୍ଷ ବୟସର ଲୋକଙ୍କୁ ଟୀକାକରଣ କରାଯାଉଛି । ଯାହାକୁ ନେଇ ପ୍ରଥମେ ଅସନ୍ତୋଷ ଦେଖା ଦେଇଥିଲା । ଏବେ ସୁବ୍ୟସ୍ଥିତ ଢଙ୍ଗରେ ଟିକାଦାନ ଆରମ୍ଭ ହୋଇଥିବାରୁ ସାଧାରଣରେ ସନ୍ତୋଷ ପ୍ରକାଶ ପାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ