ଅନୁଗୋଳ: ମୋଦି ସରକାର ଗରିବ ଲୋକଙ୍କ ସେବା କରିବାର ଦାୟିତ୍ବ ନେଇଛନ୍ତି । ଜନକଲ୍ୟାଣକାରୀ ଯୋଜନାର କ୍ରିୟାନ୍ବୟନ କାରଣରୁ ଗରିବ ଲୋକମାନେ ମୋଦି ସରକାରଙ୍କ ଦୃଢ଼ ନେତୃତ୍ବକୁ ସ୍ବୀକାର କରିଛନ୍ତି ବୋଲି କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୁଧବାର ଅନୁଗୋଳ ଜିଲ୍ଲା ବଳରାମପ୍ରସାଦ ଠାରେ ଆୟୋଜିତ ବିଶାଳ ଗରିବ କଲ୍ୟାଣ ସମ୍ମିଳନୀକୁ ସମ୍ବୋଧିତ କରି ଏପରି ବକ୍ତବ୍ୟ ରଖିଥିଲେ କେନ୍ଦ୍ରମନ୍ତ୍ରୀ ।
ଏହାପରେ ବଳରାମପ୍ରସାଦ ଗାଁ ପଡ଼ିଆରେ ଏକ ଗରିବ କଲ୍ୟାଣ ସମାବେଶ ଅନୁଷ୍ଠିତ ହୋଇଛି । ଏହି ସମାବେଶରେ ମଧ୍ୟ ଉଭୟ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଦଳୀୟ ନେତା ଏବଂ କର୍ମୀ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ୮ ବର୍ଷର ସଫଳତାର କଥା ଲୋକଙ୍କ ଆଗରେ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ।
ବିଭିନ୍ନ ଜନହିତକର ଯୋଜନା ଗୁଡିକୁ ଭିଡିଓ ଜରିଆରେ ପ୍ରଦର୍ଶନ କରାଯାଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, "ଦୀର୍ଘ ୮ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦି ସାରା ଭାରତ ସମେତ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି କରିଛନ୍ତି । ଓଡିଶାକୁ କୋଟି କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ଆଗରୁ ଜିଲ୍ଲା ଖଣିଜ ପାଣ୍ଠି ନଥିଲା । ଖଣି ଖାଦାନ ରାଜସ୍ବ କେବକ ରାଜ୍ୟ ରାଜକୋଷକୁ ଯାଉଥିଲା ।
କିନ୍ତୁ ମୋଦି ଏହାର ପରିବର୍ତ୍ତନ କରି ସେହି ରାଜସ୍ବ ଜିଲ୍ଲା ରାଜକୋଷକୁ ଯିବାର ବ୍ୟବସ୍ଥା କଲେ । ଯାହା ଫଳରେ ସେହି ଟଙ୍କାରେ ଜିଲ୍ଲାର ଉନ୍ନତି ହୋଇ ପାରୁଛି ।" ଏହି କାର୍ଯ୍ୟକ୍ରମରେ ଶ୍ରମ ଓ ନିଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ରାମେଶ୍ବର ତେଲି ମଧ୍ୟ ଯୋଗ ଦେଇଥିଲେ ।
ଇଟିଭି ଭାରତ, ଅନୁଗୋଳ