ଅନୁଗୋଳ: ଜିଲ୍ଲାର ତାଳଚେରରୁ ଟ୍ରେନରେ କୋଇଲା ପରିବହନକୁ ବିରୋଧ କରିଛନ୍ତି ଟ୍ରକ ମାଲିକ ମାନେ । କେନ୍ଦ୍ର ସରକାର ଏବେ ଟ୍ରେନ ୱାଗନ ଯୋଗେ କୋଇଲା ପରିବହନ ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି ସେଥିରେ ଟ୍ରକ ମାଲିକ ମାନେ କ୍ଷତିରେ ପଡିବେ । ସେହି ଆଶଙ୍କାରେ ଆଜି(ସୋମବାର) ଅନୁଗୋଳ ଜିଲ୍ଲା ତାଳଚେରର ଟ୍ରକ ମାଲିକ ମାନେ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳ ଅଫିସ ନିକଟରେ ପ୍ରତିବାଦ କରିଛନ୍ତି ।
ଏନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ସେମାନଙ୍କ ଅଭିଯୋଗ ଯେ, ସଡକ ପଥରେ କୋଇଲା ପରିବହନ କାରଯାଉ । ଯଦି ଟ୍ରେନ ଯୋଗେ ପରିବହନ କରାଯାଏ ତେବେ ଆଉ ଟ୍ରକ ଚାଲିବ ନାହିଁ ଫଳରେ ଟ୍ରକ ମାଲିକଙ୍କର କ୍ଷତି ହେବ । ଜଣେ କି ଦୁଇଜଣ ନୁହେଁ ଏହା ଦ୍ୱାରା ତାଳଚେର ଆଠହଜାରରୁ ଅଧିକ ଟ୍ରକ ମାଲିକ କ୍ଷତିରେ ପଡିବା ସହ ପରୋକ୍ଷରେ 20 ହଜାର ପରିବାର ନିଜର ଜୀବିକା ହରାଇବେ । ପୂର୍ବରୁ ଯେପରି କୋଇଲା ଟ୍ରକରେ ପରିବହନ ହେଉଥିଲା ସେହିଭଳି କରାଯାଉ ବୋଲି ସେମାନେ ଦାବି କରିଛନ୍ତି ।
ଏନେଇ ସେମାନେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଜଣାଇଛନ୍ତି । ଯଦି ସରକାର ନିଷ୍ପତ୍ତି ନବଦଳାନ୍ତି ତେବେ ଆସନ୍ତା 11 ତାରିଖରେ ସେମାନେ ରେଳ ରୋକ କରିବେ ବୋଲି ଧମକ ଦେଇଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ