ଅନୁଗୋଳ: ଜିଲ୍ଲାରେ କୋଭିଡ ଟିକାର ଅଭାବ ଦେଖାଦେଇଛି । ଆଜି(ରବିବାର) ସୁଦ୍ଧା ଜିଲ୍ଲାରେ ୭୦୨୦ଟି ଡୋଜ ମହଜୁଦ ରହିଛି । କିନ୍ତୁ ଦୈନିକ ୫୫୦୦ ଡୋଜ ଦିଆ ଯାଉଛି । ଯଦି ଟିକା କେନ୍ଦ୍ରରେ ଟିକା ଠିକ୍ ସମୟରେ ନପହଞ୍ଚେ ତେବେ ଟୀକାକରଣରେ ବାଧା ଉପୁଜିବା ନେଇ ଆଶଙ୍କା କରାଯାଉଛି ।
ତେବେ ଅନୁଗୋଳରେ ପର୍ଯ୍ୟାପ୍ତ ଟୀକା ନଥିବାରୁ ଟୀକା ଉତ୍ସବ ଆୟୋଜନ କରାଯାଇ ପାରିନଥିବା ଜଣାପଡ଼ିଛି । ଜିଲ୍ଲାର ବିଭିନ୍ନ ସରକାରୀ ଡାକ୍ତରଖାନାରେ ୩୬ଟି ଟିକାଦାନ କେନ୍ଦ୍ର କରାଯାଇଛି । ସେହିପରି ଟିକାଦାନକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ବେସରକାରୀ ଚିକିତ୍ସାଳୟରେ ୬ଟି ଟିକାଦାନ କେନ୍ଦ୍ର ଖୋଲା ଯାଇଛି । ଜିଲ୍ଲାରେ ୪୫ ବର୍ଷରୁ ଊର୍ଦ୍ଧ୍ବ ବୟସର ମୋଟ ପ୍ରାୟ ୪ ଲକ୍ଷ ଡୋଜ ଦିଆଯିବା ପାଇଁ ଧାର୍ଯ୍ୟ କରାଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ମୋଟ ୮୦,୪୦୨ ଜଣଙ୍କୁ ଟିକା ଦିଆଯାଇଛି ।
ସେମାନଙ୍କ ମଧ୍ୟରୁ ମାତ୍ର ୧୨,୩୮ ୮ଜଣଙ୍କୁ ଦ୍ଵିତୀୟ ଡୋଜ ଦିଆଯାଇଛି । ଏହି ହିସାବକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି ଯେ, ଜିଲ୍ଲାରେ ଆହୁରି ପର୍ଯ୍ୟାପ୍ତ ଟିକାର ଆବଶ୍ୟକତା ରହିଛି । କିନ୍ତୁ ସେହି ପରିମାଣର ଟିକା ପହଞ୍ଚି ପାରିନାହିଁ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅତି କମରେ ୪୦ ରୁ ୫୦ ହଜାର ଡୋଜ ପଠାଇବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି ସିଡିଏମଓ ସୂଚନା ଦେଇଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ