ଅନୁଗୋଳ: ଶେଷ ହୋଇଛି ସୁନ୍ଦରୀ ଅଧ୍ୟାୟ । ସୁନ୍ଦରୀ ଫେରିଯିବା ପରେ ସାତକୋଶିଆବାସୀଙ୍କ ମନରେ ଥିବା ଭୟ ଦୂର ହୋଇଛି । ଲୋକଙ୍କ ସିନା ଭୟ ଦୂର ହୋଇଛି ହେଲେ ଦେଶର ବହୁ ଆକାଂକ୍ଷିତ ପ୍ରକଳ୍ପର ଭବିଷ୍ୟତ ବାଟ ହୁଡ଼ିଛି । ଅନିଶ୍ଚିତତା ମଧ୍ୟରେ ଏବେ ରହିଛି ପ୍ରଥମ ଆନ୍ତରାଜ୍ୟ ବ୍ୟାଘ୍ର ପ୍ରକଳ୍ପ ।
ସାତକୋଶିଆରେ ଶେଷ ହୋଇଛି ସୁନ୍ଦରୀ ଅଧ୍ୟାୟ । ଏକ ଜଙ୍ଗଲର ବାଘୁଣୀକୁ ଦୀର୍ଘ 28 ମାସ କାଳ ଏକ ଛୋଟିଆ ଏନକ୍ଲୋଜର ବନ୍ଦୀ କରି ରଖିବା ପରେ ଶେଷରେ ମଧ୍ୟପ୍ରଦେଶକୁ ପଠାଇ ଦେଇଛି ଓଡ଼ିଶା ବନ ବିଭାଗ । ଗତକାଲି(ମଙ୍ଗଳବାର) ସନ୍ଧ୍ୟରେ ପୁଣି ଥରେ ବାଘୁଣୀକୁ ଟ୍ରଙ୍କୁଲାଇଜି କରି ମଧ୍ୟପ୍ରଦେଶର ଟିମ କହ୍ନା ଅଭୟାରଣ୍ୟର ଗରିଲା ଏନକ୍ଲୋଜରକୁ ନେଇ ଯାଇଛନ୍ତି । ସେପଟେ ବାଘୁଣୀକୁ ନେଇ ସାତକୋଶିଆରେ ଯେଉଁ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିଲା ଏବେ ସେଥିରେ ଯବନିକା ପଡିଛି । ବାଘୁଣୀକୁ କାଳେ ପୁଣି ଥରେ ଜଙ୍ଗଲକୁ ଛାଡିଦେବେ ଏଭଳି ଆଶଙ୍କାରେ ଥିବା ସାତକୋଶିଆବାସୀ ଏବେ ଆସ୍ୱସ୍ତି ହୋଇଛନ୍ତି । ଆଉ ବାଘୁଣୀ ଫେରି ଯାଇଥିବାରୁ ସେଇ ଖୁସିରେ ସେମାନେ ବିଜୟ ଦିବସ ପାଳିବେ ବୋଲି ପ୍ରସ୍ତୁତ ହେଉଛନ୍ତି ।
ତେବେ ପୂର୍ବରୁ ଏହି ବାଘୁଣୀକୁ ନେଇ ବହୁ ବାଦ ବିବାଦ ସୃଷ୍ଟି ହୋଇଥିଲା । ଗତ ୨୦୧୮ ଜୁନ ୨୮ତାରିଖରର ମଧ୍ୟପ୍ରଦେଶର ବାନ୍ଧବ ଗଡରୁ ସୁନ୍ଦରୀକୁ ସାତକୋଶିଆ ଅଣା ଯାଇଥିଲା । ତାକୁ ଏନକ୍ଲୋଜର ଭିତରେ ରଖିବା ପରେ ଅଗଷ୍ଟ ମାସ ୧୭ ତାରିଖରେ ଜଙ୍ଗଲ ଭିତରକୁ ଛଡା ଯାଇଥିଲା । କିନ୍ତୁ ସୁନ୍ଦରୀ ଜଙ୍ଗଲ ଭିତରେ ନରହି ଗାଁ ମୁହାଁ ହୋଇଥିଲା । ସେପ୍ଟେମ୍ବର ୧୨ ତାରିଖରେ ହାତିବାରି ଗାଁର କୈଳାସୀ ସାଏ ନାମକ ଜଣେ ମହିଳାଙ୍କୁ ମାରି ଥିବାବେଳେ ପୁଣି ଅକ୍ଟୋବର ୨୧ ତାରିଖରେ ଟାଇଂସି ଗାଁର ତ୍ରିନାଥ ସାହୁଙ୍କୁ ମାରି ଦେଇଥିଲା । ଦୁଇ ଦୁଇଟି ମଣିଷ ମାରିବା ସହ ବହୁ ଗାଈଗୋରୁ ମାରି ଖାଇଥିଲା । ସେତେବେଳେ ଏହି ଘଟଣାକୁ ନେଇ ସାତକୋଶିଆ ଅଞ୍ଚଳରେ ତୁମୁଳକାଣ୍ଡ ଘଟିଥିଲା । ଲୋକେ ଆଇନକୁ ହାତକୁ ନେଇ ବହୁ ପୋଡ଼ା ଜଳା କରିଥିଲେ । ଶେଷରେ ପୁଣି ଥରେ ନଭେମ୍ବର ୬ ତାରିଖରେ ବାଘୁଣୀକୁ ଟ୍ରଙ୍କୁଲାଇଜ କରି ଏନକ୍ଲୋଜର ଭିତରେ ରଖାଯାଇଥିଲା । ସେହିଦିନ ଠାରୁ ଏନକ୍ଲୋଜର ଭିତରେ ବନ୍ଦୀ ଥିଲା ବାଘୁଣୀ । ଏବେ ପୁଣି ସୁନ୍ଦରୀକୁ ମଧ୍ୟପ୍ରଦେଶ ଫେରାଇ ନିଆଯିବା ପରେ ଏହି ଆନ୍ତରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ କାର୍ଯ୍ୟ କରାଯିବ ନାହିଁ, ଯାହାକୁ ନେଇ ଅନେକ ପ୍ରଶ୍ନ ଛିଡା ହୋଇଛି । ଅନ୍ୟପଟେ ବିନା ସହମତିରେ ପ୍ରକଳ୍ପ ଆରମ୍ଭ କରାଯାଇଥିବାରୁ ତାହା ବିଫଳ ହୋଇଥିବା ନେଇ ମଧ୍ୟ ଅଭିଯୋଗ ହେଉଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ