ଅନୁଗୋଳ: ଦେଶରେ ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପକୁ ଲାଗିଛି ଶକ୍ତ ଧକ୍କା । ବାଘ ବଂଶ ବୃଦ୍ଧି ପାଇଁ ହୋଇଥିବା ଯୋଜନାର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି । ବନ ବିଭାଗର ପରିଚାଳନା ଗତ ତ୍ରୁଟି ଯୋଗୁଁ ପୁଣି ଥରେ ମଧ୍ୟପ୍ରଦେଶ ଫେରିଯିବ ବାନ୍ଧବଗଡର ବାଘୁଣୀ 'ସୁନ୍ଦରୀ' । ଦୀର୍ଘ ଗୋଟିଏ ବର୍ଷ କାଳ ବନ୍ଦୀ ଜୀବନ କାଟିବା ପରେ ବାଘୁଣୀକୁ ପୁଣି ଫେରାଇ ନେବାକୁ ନିଷ୍ପତ୍ତି ନେଇଛି ଜାତୀୟ ବ୍ୟାଘ୍ର ସଂରକ୍ଷଣ ସଂସ୍ଥାନ ବା ଏନଟିସିଏ । ଏନଟିସିଏର ଡେପ୍ୟୁଟି ଇନ୍ସପେକ୍ଟର ଜେନେରାଲ ସୁରେନ୍ଦ୍ର ମେହେରା ଏନେଇ ଓଡିଶା ସରକାରଙ୍କୁ ଚିଠି ଲେଖିଛନ୍ତି ।
ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, ଏନଟିସିଏର ଏସଓପି (ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଜିଓର)କୁ ବନ ବିଭାଗ ନମାନି ମନଇଚ୍ଛା କାର୍ଯ୍ୟ କରିଛି । କେବଳ ଏତିକି ନୁହେଁ ମଣିଷ ମାରିବା ଅଭିଯୋଗରେ ବାଘୁଣୀ 'ସୁନ୍ଦରୀ'କୁ ବର୍ଷେ କାଳ ଏକ ଛୋଟ ଏନକ୍ଲୋଜରେ ଯେଉଁଭଳି ରଖାଯାଇଥିଲା ତାହା ମଧ୍ୟ ନିୟମ ବିରୁଦ୍ଧ ବୋଲି କୁହାଯାଇଛି । ଯେଉଁକାରଣରୁ ବାଘ ବଂଶ ବୃଦ୍ଧି ପାଇଁ ଯେଉଁ ଆନ୍ତରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକ୍ରିୟା କରାଯାଇଥିଲା ସେଥିରେ ରୋକ ଲଗାଇ ଦେଇଛି ଏନଟିସିଏ ।
ସୂଚନାନୁସାରେ, ବାଘ ବଂଶ ବୃଦ୍ଧି ପାଇଁ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକ୍ରିୟା ପ୍ରକଳ୍ପ ପାଇଁ ପ୍ରଥମେ 2018 ଜୁନ୍ 21ରେ କାହ୍ନା ଅଭୟାରଣ୍ୟରୁ ମହାବଳ (T1) ବାଘ ଓ ତାର ସହଯୋଗୀ ପାଇଁ ସେହି ବର୍ଷ ଜୁଲାଇ 18ରେ ବାନ୍ଧବଗଡରୁ ଅଣାଯାଇଥିଲା ସୁନ୍ଦରୀକୁ (T2) । ମହାବଳର 50 ଦିନ ପରେ ଅଗଷ୍ଟ 17ରେ ବନ ବିଭାଗ ସୁନ୍ଦରୀକୁ ଏନ୍କ୍ଲୋଜରରୁ ଜଙ୍ଗଲକୁ ଛାଡିଥିଲା । ସୁନ୍ଦରୀ ଛଡାଯିବା ପରଠାରୁ ସାତକୋଶିଆରେ ଆରମ୍ଭ ହୋଇଥିଲା ଉତ୍ପାତ । ସେ ଗାଁ ପାଖାପାଖି ବୁଲିବା ସହ 2-2ଟି ମଣିଷ ମାରିବା ନେଇ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ସାତକୋଶିଆ ଅଞ୍ଚଳବାସୀ ଆଇନକୁ ହାତକୁ ନେବା ସହ ସାତକୋଶିଆକୁ ଛାରଖାର କରିଥିଲେ । ଏହା ପରେ 2018 ନଭେମ୍ବର 7 ତାରିଖରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରାଯାଇ ବର୍ତ୍ତମାନ ସୁଦ୍ଧା ଏନକ୍ଲୋଜରରେ ରଖାଯାଇଛି ।
ସେପଟେ ବାଘୁଣୀ 'ସୁନ୍ଦରୀ' ମଧ୍ୟପ୍ରଦେଶ ଫେରିବା ଖବର ପାଇବା ପରେ ସାତକୋଶିଆ ଅଞ୍ଚଳବାସୀ ନିଜର ଖୁସି ଜାହିର କରିଛନ୍ତି । ବାଣ ଫୁଟାଇ ଖୁସି ମନାଇବା ସହ ସ୍ଥାନୀୟବାସୀନ୍ଦା ବନ ବିଭାଗ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି । ଏଠି ପ୍ରଶ୍ନ ଉଠୁଛି କଣ ପ୍ରକଳ୍ପ ପୂର୍ବରୁ ଭିତ୍ତିଭୂମି ପରଖି ନଥିଲା ବନ ବିଭାଗ ? ଏପରିକି ଖୋଦ୍ ଏନଟିସିଏର ଅଧିକାରୀ ସମ୍ପୂର୍ଣ୍ଣ ପ୍ରକଳ୍ପର ତଦାରଖ କରୁଥିଲେ । ତେଣୁ କେଉଁଠି ରହିଲା ତୃଟି । ପ୍ରଥମେ 20 ପରେ 14 କୋଟି ଟଙ୍କା ମଞ୍ଜୁର ହୋଇଥିଲା । ଏତେ ସବୁ ଟଙ୍କା ପାଣିରେ ପଡିଲାନି କି ?
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ