ଅନୁଗୋଳ: ସରକାରୀ ଅର୍ଥର ହୋଇଛି ଉଚିତ ବିନିଯୋଗ । ସିଧାସଳଖ ଲୋକେ ପାଉଛନ୍ତି ପ୍ରକଳ୍ପରୁ ଲାଭ । ପଞ୍ଚାୟତରୁ ମିଳୁଛି ମିନେରାଲ ଥଣ୍ଡା ପାଣି । ଉପକୃତ ହେଉଛନ୍ତି ପୁରା ପଞ୍ଚାୟତ ସମେତ ଆକ ପାଖ ପଞ୍ଚାୟତ ଲୋକେ । ସବୁଠାରୁ ବଡ଼ କଥା ହେଉଛି ପ୍ରକଳ୍ପରୁ ପଞ୍ଚାୟତକୁ ମିଳୁଛି ରାଜସ୍ବ । ଅନୁଗୋଳ ଜିଲ୍ଲାରେ ପ୍ରଥମ କରି ଏଭଳି ଏକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ।
ଚିତ୍ର ହେଉଛି ଏକ ମିନେରାଲ ୱାଟର ପ୍ଲାଣ୍ଟର । ଯାହା କାର୍ଯ୍ୟକାରୀ ହେଉଛି ଅନୁଗୋଳ ଜିଲ୍ଲାରେ । ଏହା କୌଣସି ବେସରକାରୀ ୱାଟର ପ୍ଲାଣ୍ଟ ନୁହେଁ । ବରଂ ସରକାରୀ ଅର୍ଥ ବିନିଯୋଗରେ ଚାଲି ଥିବା ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ । ଯେଉଁଠାରୁ ଉପକୃତ ହେଉଛନ୍ତି ଅନେକ ଲୋକେ । ଜିଲ୍ଲାର ଅନୁଗୋଳ ବ୍ଲକ ଖଲାରୀ ପଞ୍ଚାୟତରେ ପ୍ରଥମକରି ଏଭଳି ଏକ ପ୍ରକଳ୍ପର ଆରମ୍ଭ କରାଯାଇଛି । ଉଦ୍ଦେଶ୍ୟ ସବୁ ଲୋକଙ୍କୁ କୋଲ୍ଡ ମିନେରାଲ ୱାଟର ଯୋଗାଇବା । ତାହା ପୁଣି ଖୁବ କମ ମୂଲ୍ୟରେ। ଏବେ ଶୁଣନ୍ତୁ ଏହି ପ୍ରକଳ୍ପରେ ଉପକୃତ ହେଉଥିବା ଲୋକେ କଣ କହୁଛନ୍ତି ।
ଗ୍ରାମାଞ୍ଚଳରେ ରହୁଥିବା ସବୁ ଲୋକଙ୍କ ଘରେ ନା ଫ୍ରିଜ ଅଛି ନା ଅଛି ଆକ୍ବାଗାର୍ଡ । ତେଣୁ ଥଣ୍ଡା ବିଶୁଦ୍ଧ ପାଣି ମୁନ୍ଦେ ପାଇଁ ବାହାରର କିଣା ପାଣି ଉପରେ କେହି କେହି ନିର୍ଭର କରନ୍ତି । ଯେଉଁ ପାଣିର ଦର ମଧ୍ୟ ଅଧିକ ରହୁଥାଏ । କିନ୍ତୁ ପଞ୍ଚାୟତ ତରଫରୁ ମିଳୁଥିବା ଏହି ପିଇବା ପାଣି ବହୁ ଶସ୍ତା । ବାହାରେ ପାଣି ଯାର୍ ଗୋଟିକୁ 30 ରୁ 40 ଟଙ୍କା ଦରରେ ଲୋକେ କିଣିଥିବା ବେଳେ ଏଠାରେ ମିଳୁଛି ମାତ୍ର 15 ଟଙ୍କାରେ ।
ଯାହା ସାଧାରଣ ଗରିବ ଲୋକଟିର ପକେଟ କୁ ମଧ୍ୟ ସୁହାଉଛି । ସ୍ଥାନୀୟ ସରପଞ୍ଚ ନିଜସ୍ବ ଉଦ୍ୟମରେ ସରକାରଙ୍କ ଚତୁର୍ଦ୍ଦଶ ଅର୍ଥ କମିଶନ ଅର୍ଥ କୁ ବିନିଯୋଗ କରି କୋଭିଡ ସମୟରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରିଛନ୍ତି । ସବୁଠାରୁ ବଡ କଥା ଯେଉଛି ଏହି ପ୍ରକଳ୍ପରେ ମଧ୍ୟ ପଞ୍ଚାୟତକୁ ରାଜସ୍ବ ଆସୁଛି।
ସତରେ ପଞ୍ଚାୟତ ସ୍ତରରେ ସରକାରୀ ଅର୍ଥ ବିନିଯୋଗ କରି ଲୋକଙ୍କୁ ତାର ସୁବିଧା ଯୋଗାଇବା ସହ ପଞ୍ଚାୟତର ରାଜସ୍ବ ସଂଗ୍ରହ ହେବା ଏକ ଉଦାହରଣ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ