ଅନୁଗୋଳ: କଟକ ଠାରୁ ଅନୁଗୋଳ ଦେଇ ସମ୍ବଲପୁର ପର୍ଯ୍ୟନ୍ତ ୫୫ନଂ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ଦୁର୍ଘଟଣା ବଢ଼ିବାରେ ଲାଗିଛି । ନିର୍ମାଣ ଶେଷ ସମୟସୀମା ଗତ ୨୦୨୦ ସେପ୍ଟେମ୍ବର ମାସ ଥିଲା । କିନ୍ତୁ, ବର୍ତ୍ତମାନ ସୁଦ୍ଧା କାମ ଶେଷ ହୋଇପାରି ନାହିଁ । ଫଳରେ କିଭଳି ସମ୍ପ୍ରସାରଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରିବ ସେନେଇ ସମୀକ୍ଷା କରିଛନ୍ତି ଉପବାଚସ୍ପତି । ଉପବାଚସ୍ପତି ବୈଠକରେ ଉପସ୍ଥିତ ଜାତୀୟ ରାଜପଥ ବିଭାଗ ଅଧିକାରୀ, କାର୍ଯ୍ୟାଦେଶ ପାଇଥିବା ସଂସ୍ଥା ଏବଂ ଜିଲ୍ଲା ପ୍ରଶାସନକୁ ଶୀଘ୍ର କାର୍ଯ୍ୟ ସାରିବାକୁ କଡା ତାଗିଦ କରିଛନ୍ତି ।
କଟକ ଠାରୁ ଅନୁଗୋଳ ଦେଇ ସମ୍ବଲପୁର ପର୍ଯ୍ୟନ୍ତ ପ୍ରାୟ ୨୮୦କି.ମିର ୫୫ ନଂ ଜାତୀୟ ରାଜପଥ । ଯାହାର ସମ୍ପ୍ରସାରଣ ପାଇଁ ଗତ ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭ ଦେଇଥିଲେ । ଏହି ରାଜପଥ ସମ୍ପ୍ରସାରଣର ସମୟସୀମା ଥିଲା ଦୁଇ ବର୍ଷ । ଅର୍ଥାତ, ୨୦୨୦ ସେପ୍ଟମ୍ବର ମାସ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବା କଥା । କିନ୍ତୁ, ଏବେ ସୁଦ୍ଧା ଶତକଡା ୫୦ଭାଗ କାମ ଶେଷ ହୋଇ ପାରିନି । ଫଳରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକେ । ପ୍ରତିଦିନ ଦୁର୍ଘଟଣା ଘଟି ବହୁ ଧନଜୀବନ ହାନି ହେଉଛି । ଏକ ଅକଳନରୁ ଜଣା ପଡିଛି ଯେ, ଗତ ୨୦୧୮ରେ କେବଳ ଅନୁଗୋଳ ଜିଲ୍ଲା ଭିତରେ ବଅଁରପାଳ ଠାରୁ ହଣ୍ଡପା ପର୍ଯ୍ୟନ୍ତ ପ୍ରାୟ ୮୦କି.ମି ଜାତୀୟ ରାଜପଥରେ ୪୯୬ଟି ଦୁର୍ଘଟଣା ଘଟିଛି ଆଉ ଏହି ଦୁର୍ଘଟଣାରେ ୨୧୫ ଜଣ ପ୍ରାଣ ହରାଇଛନ୍ତି । ସେହିପରି ବିଗତ ବର୍ଷରେ ଘଟିଥିଲା ୪୦୦ଟି ଦୁର୍ଘଟଣା । ସେହିପରି ଜାତୀୟ ରାଜପଥ ବିଭାଗର ଆକଳନ ଅନୁସାରେ କଟକ ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ ଉପରେ ବାର୍ଷିକ ହାରାହାରି ୫୦୦ ଦୁର୍ଘଟଣା ଘଟୁଛି ଆଉ ଯେଉଁଥିରେ ୧୦୦ ଜଣଙ୍କ ଜୀବନ ଯାଉଛି । ଅନୁଗୋଳ କଟକ ହେଉ ଅବା ସମ୍ବଲପୁର ଲୋକେ ଯାତାୟତ କରିବାକୁ ଭୟ କରୁଛନ୍ତି । ଅଯଥାରେ ଅର୍ଥ ଓ ସମୟ ନଷ୍ଟ ହେଉଛି । ବାହାରକୁ ଗଲେ ଘରକୁ ଫେରିବା ନେଇ ଅନିଶ୍ଚିତତା ରହୁଛି ।
ସରକାର ଦୁର୍ଘଟଣା ରୋକିବାକୁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । କିନ୍ତୁ, କାର୍ଯ୍ୟରେ ବିଳମ୍ବ ହେତୁ ଜୀବନ ଯାଉଛି । ତେଣୁ ଅନୁଗୋଳ ଉପଜିଲ୍ଲାପାଳ ଗତ ୨୦୧୮ରେ ଜାତୀୟ ରାଜପଥ ବିଭାଗ ଏବଂ କାର୍ଯ୍ୟାଦେଶ ପାଇଥିବା ସଂସ୍ଥା ବିରୁଦ୍ଧରେ ଥାନାରେ ମାମଲା ଦାୟର କରିଥିଲେ । ତଥାପି ସେମାନେ ନଶୁଣିବାରୁ ୨୦୧୯ରେ ଆଉ ଏକ ମାମଲା ଦାୟର କଲେ । ଏସବୁ ସତ୍ତ୍ୱେ କାର୍ଯ୍ୟରେ କୌଣସି ଅଗ୍ରଗତି ହୋଇପାରୁ ନାହିଁ ।ଏସବୁକୁ ଦୃଷ୍ଟିରେ ରଖି ନିକଟରେ ଓଡିଶା ବିଧାନସଭା ଉପବାଚଷ୍ପତି ରଜନୀକାନ୍ତ ସିଂହ ଏକ ସମୀକ୍ଷା ବୈଠକ ଡାକିଥିଲେ । ଏନଏଚଆଇର ଅନୁଗୋଳ ଓ ଢେଙ୍କାନାଳ ଡିଭିଜନର ଅଧିକାରୀ ଏବଂ କାର୍ଯ୍ୟାଦେଶ ପାଇଥିବା ଠିକା ସଂସ୍ଥାର କର୍ମକର୍ତ୍ତା ଯୋଗ ଦେଇଥିଲେ । କେତେକ ସ୍ଥାନରେ ଜମି ଅଧିଗ୍ରହଣରେ ଅସୁବିଧା ଥିବାରୁ ସମ୍ପ୍ରସାରଣ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଜଣା ପଡିଥିଲା । ତେଣୁ, ପ୍ରଶାସନ ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଉପବାଚସ୍ପତି ନିର୍ଦେଶ ଦେଇଥିଲେ । ଏହାଛଡା ରାଜପଥ ନିର୍ମାଣ କାର୍ଯ୍ୟ ଯଥା ଶୀଘ୍ର ସମ୍ପନ୍ନ କରିବାକୁ କଡା ତାଗିଦ କରିଥିଲେ । ଯାହା ତୃଟି ରହୁଛି ତାହାର ସମାଧାନ କରି ତୁରନ୍ତ କାର୍ଯ୍ୟ ଶେଷ କରିବା ପାଇଁ କାମ କରିବ ବୋଲି ଉପବାଚସ୍ପତି ପରାମର୍ଶ ଦେଇଥିଲେ ।
ପୂର୍ବରୁ ମଧ୍ୟ ଜିଲ୍ଲା ପ୍ରଶାସନ ଜାତୀୟ ରାଜପଥ ବିଭାଗ କର୍ତ୍ତୃପକ୍ଷଙ୍କୁ ଡାକି ଅନେକ ଥର ବୈଠକ କରିଛି । କଡା ନିର୍ଦ୍ଦେଶ ମଧ୍ୟ ଦେଇଛି । କିନ୍ତୁ, କୌଣସି ସୁଫଳ ମିଳି ନାହିଁ । ଏଥର କେତେଦୂର କାର୍ଯ୍ୟକାରୀ ହେଉଛି ତାହା ସମୟ ହିଁ କହିବ ବୋଲି ଆଲୋଚନା ହେଉଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ