ଅନୁଗୋଳ: ଗାଧୋଇବାକୁ ପୋଖରୀ ପାଣିର ସମସ୍ୟାକୁ ନେଇ ଚିନ୍ତାରେ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ଅଧିନ ଚମ୍ପତିମୁଣ୍ଡା ଗାଁରେ । ସୂଚନାନୁଯାୟୀ ଗ୍ରାମରେ ୫୫ଟି ପରିବାରରେ ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ଅନୁସୂଚିତ ଲୋକେ ବସବାସ କରୁଛନ୍ତି । ଗ୍ରାମରେ ବିଭିନ୍ନ ସମସ୍ୟା ଭିତରେ ସେମାନେ ବାସ କରୁଥିଲେ ସୁଦ୍ଧା ସେମାନଙ୍କର ମୁଖ୍ୟ ସମସ୍ୟା ହେଉଛି ପାଣି । ଗାଁଟି ପଥୁରିଆ ଜାଗାରେ ଅବସ୍ଥିତ ହୋଇଥିବାରୁ ଭୂତଳ ଜଳର ସ୍ତର ଆବଶ୍ୟକତା ଠାରୁ ବହୁତ କମ ରହିଛି ।
ଗାଁରେ ନଳକୂଅଟିଏ ଖୋଳିଲେ ଆଦୌ ପାଣି ବାହାରୁ ନାହିଁ । ଅନୂରୁପ ଭାବେ ପୋଖରୀରେ ମଧ୍ୟ ପାଣି ରହେ ନାହିଁ । ତେଣୁ ପାଣି ପାଇଁ ବର୍ଷ ସାରା ଅଞ୍ଚଳବାସୀ ନାନାଦି ହଇରାଣ ହରକତ ହେଉଛନ୍ତି । ତେବେ ଗାଁ ନିକଟରେ ଥିବା ଏକ ପଥର ଖାଦାନକୁ ଗ୍ରାମବାସୀ ସଫା କରି ନିଜର ଆବଶ୍ୟକତା ପାଇଁ ପୋଖରୀ ତିଆରି କରିଛନ୍ତି । ଆଉ ବର୍ଷା ଜଳକୁ ସେହି ପୋଖରୀରେ ସଂରକ୍ଷଣ କରି ରଖୁଛନ୍ତି । ସେହି ପୋଖରୀ ପାଣିକୁ ପିଇବା ଠାରୁ ଆରମ୍ଭ କରି ଗାଧୋଇବା, ଗୃହ ପାଳିତ ପଶୁ ପାଣି ପିଇବା, ଗାଁର ଯେ କୌଣସି ଭୋଜିଭାତ ସମୟରେ ସେହି ପାଣି ବ୍ୟବହାର କରିବା ଆଦି କାର୍ଯ୍ୟ କରନ୍ତି ।
ସେପଟେ ବର୍ଷା ମଧ୍ୟ ଅଞ୍ଚଳବାସୀଙ୍କ ଉପରେ ଦାଉ ସାଧିଛି । ଜିଲ୍ଲାରେ ବର୍ଷାର ଘୋର ଅଭାବ ଯୋଗୁଁ ପୋଖରୀରୁ ପାଣି ମଧ୍ୟ ଶୁଖିବାକୁ ବସିଲାଣି ଆଉ ଯେତିକି ବି ପାଣି ଅଛି ସେଥିରେ କିଭଳି ସ୍ବଚ୍ଛ ଓ ସୁରକ୍ଷିତ ରହିବେ ସେନେଇ ଅଞ୍ଚଳବାସୀଙ୍କ ଚିନ୍ତା ବଢିବାରେ ଲାଗିଛି । ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛନ୍ତି ଗ୍ରାମବାସୀ । ଗାଁରେ ଜରୁରୀ ବୈଠକ କରି ପୋଖରୀ ଜଳ ସଂରକ୍ଷଣ ଏବଂ ପୋଖରୀ ଚାରିପାଖ ପରିଷ୍କାର ରଖିବାକୁ ନିଷ୍ପତ୍ତି ନେବାସହ ଗାଁର ପ୍ରତ୍ୟେକ ପରିବାରରୁ ଜଣେ ଜଣେ ସଦସ୍ୟ ପହଞ୍ଚି ପୋଖରୀର ସ୍ବଚ୍ଛତା ନେଇ କାମରେ ଲାଗିଛନ୍ତି ।
ଅନୁଗୋଳରେ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ