ଅନୁଗୋଳ: ଜିଲ୍ଲାର ତାଳଚେର ମେଡ଼ିକାଲ କଲେଜକୁ ତୁରନ୍ତ ଚାଲୁ କରିବା ସହ ଅନ୍ୟାନ୍ୟ ଦାବି ନେଇ ଆଜି(ମଙ୍ଗଳବାର) ତାଳଚେର ସୁରକ୍ଷା ମଞ୍ଚ ସକାଳ ୫ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ଫଳରେ ତାଳଚେର ଅଞ୍ଚଳର ସମସ୍ତ କୋଇଲା ଖଣି ବନ୍ଦ ରହିବା ସହ ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିଥିଲା ।
କିଛି ସମୟ ପରେ ଜିଲ୍ଲାପାଳ ସୁରକ୍ଷା ମଞ୍ଚରେ କର୍ମକର୍ତ୍ତାଙ୍କୁ ଡାକି ଆଲୋଚନା କରିଥିଲେ । ମେଡ଼ିକାଲ କଲେଜକୁ ରାଜ୍ୟ ସରକାର ପରିଚାଳନା କରିବେ। ଏଥିପାଇଁ ଆବଶ୍ୟକ ଅର୍ଥ MCL କର୍ତ୍ତୃପକ୍ଷ ଯୋଗାଇ ଦେବେ। ଏହାଛଡା ଅନୁଗୋଳ ତାଳଚେର ରେଳ ଲାଇନ କାମ ଆସନ୍ତା ୬ମାସ ମଧ୍ୟରେ ଶେଷ କରିବାକୁ ରେଳ ବିଭାଗକୁ କୁହାଯାଇଥିଲା । ଅନୁଗୋଳରୁ ତାଳଚେର ଦେଇ ଚାଲିଥିବା ମେମୋ ଟ୍ରେନ କଣିହାଁ ପର୍ଯ୍ୟନ୍ତ ଚାଲୁ କରିବାକୁ ମଧ୍ୟ ପଦକ୍ଷେପ ନେବାକୁ ରେଳ ବିଭାଗକୁ କୁହାଯାଇଥିଲା । ଏସମସ୍ତ ବିଷୟ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଅଣାଯିବ ବୋଲି ଜିଲ୍ଲାପାଳ କହିଥିଲେ । ଫଳରେ ତୁରନ୍ତ ତାଳଚେର ବନ୍ଦ ପ୍ରତ୍ୟାହୃତ ହୋଇଥିଲା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ