ତାଳଚେର: ୱାର୍ଲଡ ରେକର୍ଡରେ ସ୍ଥାନ ପାଇଲା ତାଳଚେର ଗଣେଶ ପୂଜାର ଆଜ୍ଞା ଲଡ଼ୁ । ୩୧ କୁଇଣ୍ଟାଲ ଓଜନର ଏହି ବିଶାଳ ଲଡୁ ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଛି । ଗଣେଶ ପୂଜାର ଶେଷ ଦିନରେ ଏହି ଲଡୁକୁ ନିଲାମ କରାଯାଇଥିଲା । ୨୨ ଲକ୍ଷ ୨୨ ହଜାର ୨୨୨ ଟଙ୍କାରେ ଏହି ଲଡ଼ୁ ନିଲାମ ହୋଇଛି ।
ତାଳଚେର ଗଣେଶ ପୂଜାର ମୁଖ୍ୟ ଆକର୍ଷଣ ସାଜିଥାଏ ଆଜ୍ଞା ଲଡ଼ୁ ନିଲାମ । ଅନେକ ବର୍ଷ ଏହି ଏହି ଆଜ୍ଞା ଲଡ଼ୁ ନିଲାମ ପରମ୍ପରା ପାଳିତ ହୋଇ ଆସୁଛି । ହେଲେ ଚଳିତ ବର୍ଷ ଏହି ଆଜ୍ଞା ଲଡୁ ରେକର୍ଡ ଭାଙ୍ଗିଛି । ୩୧ କୁଇଣ୍ଟାଲ ଓଜନର ଏହି ବିଶାଳ ଲଡୁ ୱାର୍ଲଡ଼ ରେକର୍ଡରେ ସ୍ଥାନ ପାଇବା ସହ 22 ଲକ୍ଷ ଟଙ୍କାରେ ନିଲାମ ହୋଇଛି । ତାଳଚେର ଗଣପର୍ବ ଗଣେଶ ପୂଜାର ଶେଷ ଦିନରେ ଏହି ଲଡ଼ୁ ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏକ ଟ୍ରକରେ ଏହି ବିଶାଳକାୟ ଲଡୁକୁ ଶୋଭାଯାତ୍ରାରେ ନିଲାମ ସ୍ଥଳକୁ ଅଣାଯାଇଥିଲା ।
ଏହାମଧ୍ୟ ପଢନ୍ତୁ..Ganesh Visarjan: ହାଇଦ୍ରାବାଦ ପୋଲିସ କର୍ମଚାରୀଙ୍କ ଜବରଦସ୍ତ ଡାନ୍ସ, ଭିଡିଓ ଭାଇରାଲ
ପରେ ପ୍ରଶାସନ, ତାଳଚେର ବିଧାୟକ ଓ ପୂଜା କମିଟି କର୍ମକର୍ତ୍ତାଙ୍କ ଗହଣରେ ନିଲାମ ଡକାଯାଇଥିଲା । ନିଲାମି ଦେଖିବା ପାଇଁ ଅନେକ ସାଧାରଣ ଲୋକଙ୍କ ମଧ୍ୟ ଭିଡ଼ ଜମିଥିଲା । ପରିଶେଷରେ ତାଳଚେରର ଲାଲ ବାଗ ରାଜା ଅନୁଷ୍ଠାନ ନିଲାମ ପ୍ରକ୍ରିୟାର ବିଜେତା ହୋଇଥିଲେ । ୮ ଲକ୍ଷ ୭୦ ହଜାର ଟଙ୍କାରୁ ନିଲାମ ଡାକ ଆରମ୍ଭ ହୋଇଥିଲା । ତେବେ ୨୨ ଲକ୍ଷ ୨୨ ହଜାର ୨୨୨ ଟଙ୍କାରେ ଲାଲବାଗ ରାଜା ଅନୁଷ୍ଠାନ ନିଲାମ ଧରିଥିଲେ । ଚଳିତ ବର୍ଷ ତାଳଚେରର ଏହି ଆଜ୍ଞାଲଡୁ ୱାର୍ଲଡ୍ ରେକର୍ଡ କରିଛି । ପୂର୍ବରୁ ମୁମ୍ବାଇରେ ୨୨ କୁଇଣ୍ଟାଲ ରେକର୍ଡ ଥିବା ବେଳେ ତାଳଚେରରେ ଚଳିତ ବର୍ଷ ୩୧ କୁଇଣ୍ଟାଲ ଓଜନର ରହିଛି ।
ତେବେ ଅନୁଗୋଳ ଜିଲ୍ଲା ତାଳଚେର ଗଣେଶ ପୂଜା ପାଇଁ ବେଶ ପ୍ରସିଦ୍ଧି ଲାଭ କରିଛି । ବିଭିନ୍ନ ମଣ୍ଡପଗୁଡିକରେ ଆକର୍ଷଣୀୟ ଗଣେଶ ମୂର୍ତ୍ତି ସାଙ୍ଗକୁ ଭଳିକି ଭଳି ତୋରଣ ଲୋକମାନଙ୍କ ମନ ଜିଣିଥାଏ । 10 ଦିନ ଧରି ଏଠାରେ ଗଣେଶ ପୂଜା ବେଶ ଧୁମଧାମରେ ପାଳନ କରାଯାଏ । ଚଳିତ ବର୍ଷ 100ରୁ ଊର୍ଦ୍ଧ୍ୱ ମଣ୍ଡପରେ ପୂଜା ପାଇଛନ୍ତି ଗଜାଜନ । ତେବେ ଆଜି(ଶୁକ୍ରବାର) ଗଜାନନଙ୍କୁ ବିଦାୟ ଦେବେ ତାଳଚେରବାସୀ । ଗଣେଶ ବିସର୍ଜନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ଇଟିଭି ଭାରତ, ତାଳଚେର