ଅନୁଗୋଳ : ପ୍ରେମ ପାଇଁ ମିଳିଲାନି ପରିବାର ପକ୍ଷରୁ ସ୍ବୀକୃତି । ଆଉ ପ୍ରେମରେ ବିଫଳ ହେବାରୁ ବିଷ ପିଇଦେଲେ ପ୍ରେମୀ ଯୁଗଳ । ପରେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ଲୋକେ । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ତୁକୁଡ଼ା ଜଙ୍ଗଲରେ । ପ୍ରେମିକ ଜଣକ ତୁକୁଡ଼ା ଗାଁର ହୋଇଥିବାବେଳେ ପ୍ରେମିକା ଜଣକ ଆଠମଲ୍ଲିକ ପାଇକସାହିର ।
ପ୍ରେମିକା ଜଣକ ତୁକୁଡ଼ା ଗାଁରେ ବିବାହ କରିଛନ୍ତି । ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । କିଠିଦିନ ତଳେ ତୁକୁଡ଼ା ଗାଁର ୨୦ବର୍ଷୀୟ ଯୁବକ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସମ୍ପର୍କ ଏତେ ନିବିଡ଼ ହେଲା ଯେ ସେମାନେ ଏକାଠି ରହିବାକୁ ଚାହୁଁ ଥିଲେ। କିନ୍ତୁ ଉଭୟଙ୍କ ପରିବାର ଲୋକେ ଏହାକୁ ବିରୋଧ କରିବାରୁ ବିଷ ଖାଇ ଆତ୍ମହତ୍ୟା କରିବାକୁ ସ୍ଥିର କରି ଜଙ୍ଗଲକୁ ଯାଇ ବିଷ ଖାଇ ଦେଇଥିଲେ ।
ଖବରପାଇ ସ୍ଥାନୀୟ କିଛି ଯୁବକ ଜଙ୍ଗଲକୁ ଯାଇ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇ ଥିଲେ । ତେବେ ଉଭୟଙ୍କ ଅବସ୍ଥା ଶୋଚନୀୟ ଥିବାରୁ ଜଣଙ୍କୁ କଟକ ମେଡିକାଲକୁ ପଠାଯାଇଛି ।
ଇଟିଭି ଭାରତ, ଅନୁଗୋଳ