ଅନୁଗୋଳ: କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା । ଅନୁଗୋଳ ଜିଲ୍ଲାର ବଅଁରପାଳ ଥାନା ଅନ୍ତର୍ଗତ ଗିରିଧିବାସିଆ ଗାଁରେ ଜଣେ କଲେଜ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରିଛି ପୋଲିସ। ଘର ପାଖ କୂଅକୁ ଗାଧୋଇ ଯାଇଥିବା ବେଳେ ଘଟିଛି ଏଭଳି ଲୋମହର୍ଷଣକାରୀ ଘଟଣା । ଛାତ୍ରୀଙ୍କ ଉଲଗ୍ନ ଶରୀର ଉପରେ କଣ୍ଟା ଓ ଡାଳ ପତ୍ର ଘୋଡାଇ ଦିଆ ଯାଇଥିବା ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରିଥିବା ବେଳେ ତାଙ୍କ ଝିଅକୁ କେହି ଦୁଷ୍କର୍ମ ପରେ ଏଭଳି ମାରିଥିବା ନେଇ ସନ୍ଦେହ କରିଛନ୍ତି ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବହୁ ସଂଖ୍ୟାରେ ଅଞ୍ଚଳବାସୀ ଘଟଣାସ୍ଥଳରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି। ଶନିବାର ସକାଳେ ସବୁଦିନ ପରି ଛାତ୍ରୀ ଜଣକ ଘର ନିକଟସ୍ଥ କୂଅକୁ ଗାଧୋଇବାକୁ ଆସିଥିଲେ। କୂଅଟି ବୁଦା ଓ ଗୁଳ୍ମ ଲତାରେ ଭରା ଜଙ୍ଗଲ ଘେରି ମଧ୍ୟରେ ରହିଛି। ତେଣୁ ସେଠାରେ କୌଣସି ଅଘଟଣ ଘଟିଲେ ହଠାତ ଜାଣିବା କଷ୍ଟକର ବୋଲି କହିଛନ୍ତି ଗ୍ରାମବାସୀ।
ତେବେ ଘଟଣାସ୍ଥଳରେ ଗାଧୋଇବାକୁ ଆସିଥିବା ମୃତ ଛାତ୍ରୀଙ୍କ ବଡ଼ ଭଉଣୀ ସେଠାକୁ ଗାଧୋଇବାକୁ ଆସି ସାନ ଭଉଣୀର ସାବୁନ, ତେଲ ଓ ଡ୍ରେସ ସେଠାରେ ପଡିଥିବା ଦେଖିବାକୁ ପାଇଥିଲେ। ବହୁ ଖୋଜା ଖୋଜି ପରେ ମଧ୍ୟ ସାନ ଭଉଣୀକୁ ପାଇ ନଥିଲେ।
ଏ ସଂପର୍କରେ ତୁରନ୍ତ ପରିବାର ଲୋକଙ୍କୁ ଜଣାଇଥିଲେ। ଫଳରେ ପରିବାର ଓ ସାହି ପଡିଶା ଲୋକେ ଘଟଣାସ୍ଥଳରେ ପହଁଞ୍ଚି ବହୁ ଖୋଜା ଖୋଜି କରିବା ପରେ ଏକ ଜଙ୍ଗଲିଆ ସ୍ଥାନରୁ ଛାତ୍ରୀଙ୍କ ମୃତ ଦେହ ଦେଖିବାକୁ ପାଇଥିଲେ। ଛାତ୍ରୀଙ୍କ ଶରୀର ଉପରେ କଣ୍ଟା ଗଛ ଓ ଡାଳପତ୍ର ଘୋଡାଇ ଦିଆ ଯାଇଥିବା ଦେଖିବାକୁ ପାଇଥିଲେ । ପିନ୍ଧିଥିବା ପୋଷାକ ଅନ୍ୟତ୍ର ଫିଙ୍ଗି ଦିଆ ଯାଇଥିଲା। ତେଣୁ ତାଙ୍କୁ ଗଣ ଦୁଷ୍କର୍ମ କରି ହତ୍ୟା ଯାଇଥିବା ନେଇ ସନ୍ଦେହ କରି ପରିବାର ପକ୍ଷରୁ ତୁରନ୍ତ ପୋଲିସକୁ ଖବର ଦିଆ ଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।
ସେପଟେ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁରକୁ ଅପେକ୍ଷା କରିଛନ୍ତି ପରିବାର ଲୋକେ। ପୋଲିସ ସନ୍ଦେହରେ ସେହି ଗାଁର ଜଣେ ଯୁବକକୁ ଥାନାରେ ଅଟକ ରଖିଛି। ତେବେ ତଦନ୍ତ ପରେ ହିଁ ଘଟଣାର ରହସ୍ୟ ଜଣା ପଡିବ ବୋଲି ଅନୁଗୋଳ ଅତିରିକ୍ତ ଏସପି ସୂଚନା ଦେଇଛନ୍ତି । ପରେ ଉତ୍ୟକ୍ତ ଲୋକେ ନାୟ ଦାବିରେ ପୁରୁଣା କଟକ ସମ୍ବଲପୁର ରାସ୍ତା ଅବରୋଧ କରିବା ସହ ମୃତ ଛାତ୍ରୀଙ୍କ ପରିବାରକୁ କ୍ଷତି ପୂରଣ ଦାବି କରିଛନ୍ତି । ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ