ଅନୁଗୋଳ: ମାଲିକ ଶ୍ରେଣୀ ସ୍ଵାର୍ଥରେ କେନ୍ଦ୍ର ସରକାର କରିଛନ୍ତି ଶ୍ରମ ଆଇନରେ ସଂଶୋଧନ । ଏପରି ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି AIUTUC ଶ୍ରମିକ ସଂଗଠନ । ସଂଶୋଧିତ ଆଇନରେ ଠିକାରେ କାମ କରୁଥିବା ଶ୍ରମିକମାନେ ଅଧିକ ଶୋଷିତ ହେବେ ବୋଲି ଅଭିଯୋଗ ହୋଇଛି ।
ପୂର୍ବରୁ ଯେଉଁ 44ଟି ଶ୍ରମ ଆଇନ ଥିଲା, ତାହାକୁ ବିଭକ୍ତ କରି 4 ଭାଗ କରିଛନ୍ତି ସରକାର । ସଂଶୋଧିତ ଆଇନ ହୋଇଥିବା ଶ୍ରମ ଆଇନରେ ଠିକା ଶ୍ରମିକମାନେ ଗୋତି ଶ୍ରମିକ ଭାବେ ଖଟିବେ ବୋଲି ମଧ୍ୟ ଅଭିଯୋଗ ହୋଇଛି । ଏହାସହ ଜିଲ୍ଲାରେ ଥିବା ସମସ୍ତ ରାଷ୍ଟ୍ରାୟତଃ ଉଦ୍ୟୋଗରୁ କେନ୍ଦ୍ର ସରକାର କରୁଥିବା ପୁଞ୍ଜି ପ୍ରତ୍ୟାହାରକୁ ବିରୋଧ କରିଛି ସଂଗଠନ । ପ୍ରତିବାଦରେ ଶ୍ରମିକ ସଂଗଠନ ଏକ ପ୍ରତିବାଦ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛି ।
ଏହା ଛଡା ଜିଲ୍ଲାରେ ESI ଏବଂ ସୁପରସ୍ପେଶାଲିଷ୍ଟ ହସ୍ପିଟାଲ ନିର୍ମାଣ ଶେଷ ପର୍ଯ୍ୟାୟରେ ଥିବାବେଳେ ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ସଂଘ ଦାବି କରିଛି । ଜିଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସରକାର ନିଷ୍ପତ୍ତି ନ ବଦଳାଇଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ ହେବ ବୋଲି ଧମକ ଦେଇଛିଏହି ସଂଗଠନ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ