ଅନୁଗୋଳ: ସହରରେ ବୁଲା କୁକୁର ଆତଙ୍କ । ଗତ 3ଦିନ ମଧ୍ୟରେ କୁକୁର କାମୁଡ଼ାରେ 30ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଡାକ୍ତରଖାନାରେ ଆହତଙ୍କ ଭିଡ଼ ଲାଗିଥିବାବେଳେ ଆବଶ୍ୟକ କୁକୁର କାମୁଡ଼ା ଇଞ୍ଜେକସନ ମିଳୁ ନଥିବା ଅଭିଯୋଗ ହୋଇଛି । ପୌରପାଳିକା ବୁଲା କୁକୁରଙ୍କୁ ନିୟନ୍ତ୍ରଣ କରିବାକୁ କୌଣସି ପଦକ୍ଷେପ ନେଉନାହାଁନ୍ତି । ଫଳରେ ଲୋକେ ଘରୁ ବାହାରକୁ ବାହାରିବାକୁ ଭୟ କରୁଛନ୍ତି ।
ରାତି ଦିନ ରାସ୍ତାଘାଟରେ ଦଳ ଦଳ କୁକୁର ବୁଲୁଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ସବୁଠାରୁ ଗୁରୁତ୍ବପୁର୍ଣ୍ଣ କଥା ହେଉଛି ଯେ, କୁକୁର ଯାହାକୁ ଦେଖିଲେ ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛନ୍ତି । ମିଶ୍ରପଡ଼ା, ହାତିଶାଳପଡ଼ା, ମଦନମୋହନପଡ଼ା, ପିଟିସି ଛକ, ହୁଲୁରୁସିଂହା, ବସଷ୍ଟାଣ୍ଡ, ଷ୍ଟେସନ ରୋଡ଼ ଓ କଲେଜଛକ ପରି ସ୍ଥାନ ଗୁଡ଼ିକରେ ଅଧିକାଂଶ କୁକୁର ଏଭଳି କରୁଛନ୍ତି । ଗତ 3ଦିନରେ 30ରୁ ଅଧିକ ଲୋକ କୁକୁର କାମୁଡ଼ାରେ ଗୁରୁତର ହୋଇଛନ୍ତି ।
ଚଳିତବର୍ଷର ହିସାବ ଅନୁସାରେ, ଅନୁଗୋଳ, ତାଳଚେର ଓ ଆଠମଲ୍ଲିକ ସରକାରୀ ଡାକ୍ତରଖାନାରେ ଜାନୁଆରୀ ମାସରୁ ଡ଼ିସେମ୍ବର ମାସ ମଧ୍ୟରେ ପ୍ରାୟ 10 ହଜାର 26ଜଣ କୁକୁର କାମୁଡ଼ାରେ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 2ହଜାର 6 ଶହ 83 ଜଣ ଗୁରୁତର ହୋଇଥିଲେ । 90ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ସ୍ବତନ୍ତ୍ର ଚିକିତ୍ସା ଯୋଗାଇ ଦିଆଯାଇଥିଲା । ଏଥିଲା ସରକାରୀ ଡାକ୍ତରଖାନାର ହିସାବ । ଏହାଛଡ଼ା ବିଭିନ୍ନ ଘରୋଇ କ୍ଳିନିକ ଗୁଡ଼ିକରେ ମଧ୍ୟ ବହୁ କୁକୁର କାମୁଡ଼ା ରୋଗୀ ଚିକିତ୍ସିତ ହୋଇଛନ୍ତି । ସେମାନଙ୍କର ହିସାବ ନାହିଁ । ଏଥିରୁ ଜଣାପଡ଼ୁଛି ସହରରେ ବୁଲା କୁକୁରଙ୍କ ଦୈାରାତ୍ମ୍ୟ କେତେ ଭୟଙ୍କର । ଲୋକେ ରାସ୍ତା ଘାଟରେ ଚାଲି ଯିବାକୁ ଡ଼ରୁଛନ୍ତି ।
ବୁଲା କୁକୁର ଆତଙ୍କ ସାଙ୍ଗକୁ ବିଭିନ୍ନ ଡାକ୍ତରଖାନାରେ କୁକୁର କାମୁଡ଼ା ଇଞ୍ଜେକ୍ସନର ଅଭାବ ଦେଖିବାକୁ ମିଳୁଛି । ସବୁ ସମୟରେ ପର୍ଯ୍ୟାପ୍ତ ଇଞ୍ଜେକସନ ମିଳୁନଥିବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ପ୍ରତ୍ୟେକ ସହରରେ ମ୍ୟୁନସିପାଲଟି କୁକୁରଙ୍କୁ ନିୟନ୍ତ୍ରଣ କରିବା କଥା । ସେମାନଙ୍କୁ ଧରି ଅନ୍ୟତ୍ର ଛାଡ଼ିବା କଥା । ନଚେତ ବୁଲା କୁକୁରଙ୍କୁ କୌଶଳ କରି ଇଞ୍ଜେକସନ ଦେବା କଥା । କିନ୍ତୁ ଅନୁଗୋଳରେ ତାହା ଦେଖିବାକୁ ମିଳୁନି । ଫଳରେ ଦିନକୁ ଦିନ କୁକୁର ସଂଖ୍ୟା ବଢୁଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ