ଅନୁଗୋଳ: ଦିନ କେଇଟା ପରେ ମହାପ୍ରଭୁଙ୍କ ଘୋଷଯାତ୍ରା । ଶ୍ରୀକ୍ଷେତ୍ରରେ ଶ୍ରୀବିଗ୍ରହମାନେ ଶ୍ରୀମନ୍ଦିରରୁ ବାହାରି ମାଉସୀ ମା' ମନ୍ଦିର ଅଭିମୁଖେ ରଥରେ ଯାତ୍ରା କରିବେ । ଭକ୍ତର ଭାବରେ ବନ୍ଧା ଚକାନୟନ ୩.୫ ଇଞ୍ଚ ଉଚ୍ଚତାର ନନ୍ଦିଘୋଷରେ ବିରାଜମାନ କରିଛନ୍ତି । ଏହି କୁନି ରଥରେ କାଳିଆର ହେବ ରଥଯାତ୍ରା । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କୁରୁମଟାପ ଗାଁରେ ଯୁବ ଶିଳ୍ପୀ ରୁବେଲାଲ ପ୍ରଧାନ ବିଶ୍ଵର ସବୁଠାରୁ ଛୋଟ ରଥ ନିର୍ମାଣ କରି ଏବେ ଚର୍ଚ୍ଚାରେ ।
ଏ ହେଉଛି ସବୁଠାରୁ କ୍ଷୁଦ୍ର ନନ୍ଦିଘୋଷ ରଥ । ଯାହାର ଓଜନ ମାତ୍ର 65 ଗ୍ରାମ । ଉଚ୍ଚତା 3.5 ଇଞ୍ଚ । ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସହିତ ସମ୍ପୂର୍ଣ୍ଣ ସାମଞ୍ଜସ୍ୟ ରହିଛି । ଏଥିରେ 16ଟି ଚକ ଲାଗିଛି । ରଥ ଉପରେ ଲାଲ ଓ ହଳଦିଆ ରଙ୍ଗର କପଡ଼ା । ଅବିକଳ ନନ୍ଦିଘୋଷ ରଥ ପରି ସେହି କପଡ଼ାରେ ଚିତ୍ରିତ କରା ଯାଇଛି । ଓଲଟ ଶୁଆ, ସାରଥୀ ଓ ଅଶ୍ବ ମଧ୍ୟ ରହିଛି । ରଥ ଭିତରେ 1ଇଞ୍ଚରୁ ସାମାନ୍ୟ କମ ଉଚ୍ଚତାର ଜଗନ୍ନାଥଙ୍କ ବିଗ୍ରହ ବସିଛନ୍ତି । କେବଳ ପ୍ରକୃତ ନନ୍ଦିଘୋଷର ଆକାର, ଆୟତନ ଓ ବ୍ୟବହାର କରାଯାଇଥିବା କାଠର ପରିମାଣକୁ ଛାଡ଼ିଦେଲେ ସବୁ କିଛି ଅବିକଳ ନନ୍ଦିଘୋଷ ରଥ ଭଳି ।
ତାଳଚେରସ୍ଥିତ ସରକାରୀ ଆଇଟିଆଇରେ ପାଠପଢା ଶେଷ ହେବା ପରେ ସେଠାରେ ରହି ଚାକିରି ପାଇଁ ଚେଷ୍ଟା କରୁଛନ୍ତି ରୁବେଲାଲ । ଜଣେ ବାଲୁକା ଶିଳ୍ପୀ ଭାବରେ ପରିଚିତ ରୁବେଲାଲ ।
ଆଜି ପର୍ଯ୍ୟନ୍ତ ସବୁଠାରୁ କ୍ଷୁଦ୍ର ରଥ ତିଆରି କରିଥିବା ରେକର୍ଡ଼ ରହିଛି ବ୍ରହ୍ମପୁରର ସତ୍ୟ ମହାରଣାଙ୍କ ନାମରେ । ସତ୍ୟ ଗତ 2017ରେ କାଠରେ 8ଇଞ୍ଚ ଉଚ୍ଚତା ବିଶିଷ୍ଟ ରଥ କରି ରେକର୍ଡ଼ କରିଥିଲେ । କିନ୍ତୁ ଚଳିତ ବର୍ଷ ସତ୍ୟ 4.5 ଇଞ୍ଚ ଉଚ୍ଚତା ବିଶିଷ୍ଟ ରଥ ତିଆରି କରି ନିଜ ରେକର୍ଡ଼ ନିଜେ ଭାଙ୍ଗିଥିଲେ । ତାଙ୍କ ଏହି କଳାକୃତିକୁ ଏସିଆ ପାସିଫିକ ରେକର୍ଡ଼, ନେସନାଲ ରେକର୍ଡ଼ ଏବଂ ଓ୍ବାର୍ଲଡ଼ ରେକର୍ଡ଼ ଅଫ ଇଣ୍ଡିଆ ସ୍ବୀକୃତି ଦେଇଛି ।
ରୁବେଲାଲ ମାତ୍ର 3.5 ଇଞ୍ଚ ଉଚ୍ଚତା ବିଶିଷ୍ଟ ରଥ ତିଆରି କରି ସେ ଏହି ରେକର୍ଡ଼ର ଦାବିଦାର ବୋଲି କହୁଛନ୍ତି । ଉପରୋକ୍ତ ସଂସ୍ଥା ଗୁଡ଼ିକର ସ୍ବୀକୃତି ପାଇବାକୁ ଆବେଦନ କରିଛନ୍ତି । ସ୍ବୀକୃତି ମିଳିଲେ ଏହି ରଥଟି ନିଶ୍ଚିତ ଭାବେ ଦୁନିଆଁର ସବୁଠାରୁ କ୍ଷୁଦ୍ର ନନ୍ଦିଘୋଷର ମାନ୍ୟତା ପାଇ ପାରିବ । ଜଗନ୍ନାଥ ସଂସ୍କୃତି ପ୍ରେମୀମାନେ ମଧ୍ୟ ତାଙ୍କର ରେକର୍ଡ଼କୁ ଚାହିଁ ବସିଛନ୍ତି । ରେକର୍ଡ ନିଶାରେ ରୁବେଲାଲଙ୍କ ଏହି କ୍ଷୁଦ୍ର ରଥ ପରିସ୍ଥିତି ଦେଖିଲେ ଜଣାପଡୁଛି ପ୍ରତିଭା ଓ ସଂସ୍କୃତି ମଧ୍ୟରେ ରହିଛି ଗଭୀର ସମନ୍ବୟ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ