ଅନୁଗୋଳ: ପରୀ ଘଟଣାରେ ରାଜ୍ୟ ସରକାର କିଭଳି ଲୋକଙ୍କୁ ଭୁଆଁ ବୁଲାଇ ତଦନ୍ତର ଦିଗ ବଦଳାଇଛନ୍ତି ସେନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ବିଧାନସଭାରେ ଏନେଇ ବିଜେପି ଏକ ଲମ୍ବା ବିତର୍କ ଚାହୁଁଥିବାବେଳେ, ସରକାର କିନ୍ତୁ ପଳାୟନପନ୍ଥୀ ଭଳି ୩୦ ଦିନ ଆଗରୁ ବିଧାନସଭା ବନ୍ଦ କରି ପଳାଇଲେ। ପରୀକୁ ନ୍ୟାୟ ଦେବାପାଇଁ ବିଜେପି ସିବିଆଇ ତଦନ୍ତ ଦାବି କରି ଆସୁଛି। କିନ୍ତୁ ସରକାର କଂଗ୍ରେସ ସହ ଯୋଡି ହୋଇ ଏସଆଇଟି ଗଠନ କଲେ। ତାହାର ମୁଖ୍ୟ ଭାବେ ପୋଲିସ କ୍ଷମତା ନଥିବା ଜଣେ ଅଧିକାରୀଙ୍କୁ ଦାୟିତ୍ବ ଦେଲେ।
ଏନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା । ବନ୍ଦ ଲଫାଫା ଭିତରେ ତଦନ୍ତ ରିପୋର୍ଟକୁ ସରକାର କୋର୍ଟକୁ ଦେଲେ। କିନ୍ତୁ ସେହି ରିପୋର୍ଟ ଗଣ ମାଧ୍ୟମରେ କିଭଳି ପ୍ରକାଶ ପାଇଲା। ଏହାକୁ କିଏ ବାହାରେ ପ୍ରକାଶ କଲା, ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ସନ୍ଦେହ କରା ଯାଇଥିଲେ ମଧ୍ୟ ତାଙ୍କୁ ଜେରା କରା ଯାଇଛି କି, ତଦନ୍ତରେ ବାବୁଲା ନାୟକଙ୍କୁ କାହିଁକି ପରିସରଭୁକ୍ତ କରାଗଲା ନାହିଁ ଇତ୍ୟାଦି ତଦନ୍ତ ରିପୋର୍ଟରେ କୋର୍ଟକୁ ଦିଆ ଯାଇଛିକି ନାହିଁ ସେ ସମ୍ପର୍କରେ ସରକାର କହି ପରିବେକି ବୋଲି ସମୀର ପ୍ରଶ୍ନ କରିଛନ୍ତି।
ତେଣୁ ବିଜେପି ପରୀକୁ ନ୍ୟାୟ ଦେବା ପାଇଁ ଅଣ୍ଟା ଭିଡିଛି। ରାଜ୍ୟ ସାରା ବୁଲିବୁଲି ଲୋକଙ୍କୁ ସରକାରଙ୍କ ଏହି ଭେଳିକି ଜଣାଇବ ବୋଲି ସୂଚନା ଦେଇଥିଲେ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ