ଅନୁଗୋଳ: ସାରାଜୀବନ ଏନକ୍ଲୋଜର ଭିତରେ ବନ୍ଦୀ ହୋଇ ଯିବକି ବାନ୍ଧବ ଗଡର ବାଘୁଣୀ । ୨୦୧୮ ନଭେମ୍ବରରୁ ସାତକୋଶିଆରେ ବନ୍ଦୀ ଥିବା ବାଘୁଣୀ T2 କେବେ ଜଙ୍ଗଲରେ ବୁଲିବ, ତାକୁ ନେଇ ଏବେ ସନ୍ଦେହ ।
ଦୁଇ ଦୁଇଟି ମଣିଷ ମାରିବା ଅଭିଯୋଗରେ ଗତ ନଭେମ୍ବର ୬ ତାରିଖରେ ବାଘୁଣୀକୁ ଅଭୟାରଣ୍ୟର ଟିକରପଡ଼ା ରେଞ୍ଜ ମଝିପଡ଼ା ଜଙ୍ଗଲରୁ ଟ୍ରାଙ୍କୁଲାଇଜିଙ୍ଗ କରି ଏନକ୍ଳୋଜରରେ ଛଡ଼ା ଯାଇଥିଲା । ଏହା ଭିତରେ ୪ ମାସରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ବାଘୁଣୀକୁ ଆଉ ଜଙ୍ଗଲକୁ ଛଡ଼ାଯାଇ ନାହିଁ ।
ଏହାସହ ନିକଟ ଭବିଷ୍ୟତରେ ଛଡାଯିବାର ଯୋଜନା ମଧ୍ୟ ନ ଥିବା କହିଛନ୍ତି ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ବୈଜ୍ଞାନିକ । ମୁକ୍ତ ଭାବେ ସାତକୋଶିଆରେ ବୁଲୁଥିବା ବାଘୁଣୀ ମାତ୍ର ଏବେ ଅଢେଇ ଏକର ଜମିରେ ନିର୍ମିତ ଏନକ୍ଲୋଜର ଭିତରେ କାଟୁଛି ଜୀବନ ।
ସାତକୋଶିଆରେ ମହାବଳର ମୃତ୍ୟୁ ପରଠାରୁ ଆଉ ଅନୁଗୋଳକୁ ବନ ବିଭାଗର କୌଣସି ବରିଷ୍ଠ ଅଧିକାରୀ ଆସୁନଥିଲେ । ଦୀର୍ଘ ଦିନ ପରେ ପୁଣିଥରେ ସାତକୋଶିଆକୁ ଡେରାଡୁନସ୍ଥିତ ଡବ୍ଲ୍ୟୁଆଇଆଇର ବରିଷ୍ଠ ବୈଜ୍ଞାନିକ ଡ.ରମେଶ ଆସିଛନ୍ତି।
ସ୍ଥାନୀୟ ଅଧିକାରୀ ବାଘୁଣୀକୁ ନଜରରେ ରଖିଥିବା WII ର କର୍ମଚାରୀ ଓ ଫିଲ୍ଡ ଡାଇରେକ୍ଟରଙ୍କ ସହ ଆଲୋଚନା କରିଛନ୍ତି । ଆବଶ୍ୟକ ପଡିଲେ ଆହୁରି ଅଭିଜ୍ଞ ବିଶେଷଜ୍ଞଙ୍କୁ ସାତକୋଶିଆ ଅଣାଯାଇ ବାଘୁଣୀର ଗତିବିଧି ଉପରେ ନଜର ରଖାଯିବ।
ଏହାସହ ବାଘୁଣୀର ଆଚରଣରେ ପରିବର୍ତ୍ତନ ଘଟିଲେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ । କିନ୍ତୁ ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପକୁ ନିଶ୍ଚିତ ଭାବେ ସଫଳ କରାଯିବ । ଏଥିପାଇଁ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସବୁ ସମସ୍ୟାର ସମାଧାନ କରିବାକୁ ଉଦ୍ୟମ କରାଯିବ ବୋଲି ମଧ୍ୟ କହିଛନ୍ତି ଡ.ରମେଶ ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ବାଘୁଣୀ ଦୀର୍ଘଦିନ ଧରି ଏନକ୍ଲୋଜର ଭିତରେ ରହିଯାଏ ଓ ପୋଷା ମାନିଯାଏ, ତେବେ ତାର ଜଙ୍ଗଲି ପ୍ରବୃତ୍ତି ହରାଇ ବସିବ । ଯେଉଁ ଉଦ୍ଦେଶ୍ୟ ପାଇଁ ଦେଶରେ ପ୍ରଥମ ଥର ପାଇଁ ରାଜ୍ୟରୁ ରାଜ୍ୟକୁ ବାଘ ଅଣାଯାଇଥିଲା, ତାହା ଅଧାରେ ରହିଯିବ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭିଭାରତ