ଅନୁଗୋଳ: ଜିଲ୍ଲାରୁ ଆସନ୍ତା ଡିସେମ୍ବର ୧୬ରୁ ଆରମ୍ଭ ହେବ ଚାଷୀଙ୍କ ଠାରୁ ଧାନ କିଣା । ଏଥିପାଇଁ ଉଭୟ ଯୋଗାଣ ବିଭାଗ ଓ ସମବାୟ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଥିଲା । କିଭଳି କୋରୋନା କଟକଣା ନିୟମକୁ ମାନି ସୁବିଧାରେ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯିବ ଏବଂ ଦଲାଲମାନଙ୍କଠାରୁ ଚାଷୀମାନେ ରକ୍ଷା ପାଇ ପାରିବେ ସେଥିପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା ।
ଧାନ କିଣା ପ୍ରକ୍ରିୟା ପାଇଁ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରାଯାଇଛି । ଏହା ବ୍ୟତୀତ ଧାନ ମଣ୍ଡିଗୁଡିକରେ କେବଳ ଚାଷୀ, ସମବାୟ କର୍ମଚାରୀଙ୍କ ଛଡା ଅନ୍ୟ କାହାରି ପ୍ରବେଶ ଉପରେ କଟକଣା ଲଗା ଯାଇଛି । ଚଳିତ ବର୍ଷ ଜିଲ୍ଲାରୁ ମୋଟ ୩୫,୮୭୭ଜଣ ଚାଷୀ ଧାନ ବିକ୍ରି କରିବାକୁ ପଞ୍ଜିକୃତ କରିଛନ୍ତି ।
୬୦,୦୦୦ ମେଟ୍ରିକ ଟନ ଧାନ କ୍ରୟ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ୯୪ଟି ସୋସାଇଟି ଜରିଆରେ ଧାନ କିଣାଯିବ । ଏଥିପାଇଁ ୮ ଜଣ ମିଲରଙ୍କୁ ନିୟୋଜିତ କରା ଯାଇଛି । ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଧାନ ଓଜନ ଯନ୍ତ୍ର ପ୍ରସ୍ତୁତ କରି ରଖାଯାଇଛି । ସଠିକ ସମୟରେ ଏହା ସୋସାଇଟିଗୁଡିକୁ ବଣ୍ଟନ କରାଯିବ । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଚାଷୀ ପଞ୍ଜିକୃତ କରିଥିବାରୁ ଧାନ ଅମଳ ଭଲ ହୋଇଥିବା ଜଣା ପଡ଼ିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ