ଅନୁଗୋଳ: ସରକାରୀ ନିଷ୍ପତ୍ତିକୁ ମାନୁନାହିଁ ମହାନଦୀ କୋଇଲା କମ୍ପାନୀ । ଫଳରେ ହୋଇ ପାରୁନି କୋଇଲା ଖଣି କର୍ତ୍ତୃପକ୍ଷ ଓ ଖଣି କ୍ଷତିଗ୍ରସ୍ତ ମଧ୍ୟରେ ନିଯୁକ୍ତି କ୍ଷତିପୂରଣ ଓ ଥଇଥାନର ସମାଧାନ । ଯାହାର ପ୍ରତିବାଦ ବୁଧବାର ପୁଣି ଦେଖିବାକୁ ମିଳିଛି ଅନୁଗୋଳରେ ।
ଗତ ୨୦୧୮ ମସିହାରେ ହୋଇଥିବା ଆରପିଡିଏସି ବୈଠକର ନିଷ୍ପତିକୁ କାର୍ଯ୍ୟରେ ଲଗାଉ ନାହିଁ କମ୍ପାନୀ । ଖାଲି ସେତିକି ନୁହେଁ ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣ ଆଇନ ୨୦୦୬ କୁ ମଧ୍ୟ କାର୍ଯ୍ୟକାରୀ କରୁନାହିଁ କମ୍ପାନୀ । ଯାହା ବିରୁଦ୍ଧରେ ଅନୁଗୋଳ ଜିଲାପାଳଙ୍କ ଅଫିସ ସମ୍ମୁଖରେ ପ୍ରତିବାଦ କରିଛି ତାଳଚେର ସୁରକ୍ଷାମଞ୍ଚ ।
ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ନେତୃତ୍ବରେ ଶହ ଶହ ଜମି ହରା କମ୍ପାନୀ ବିରୁଦ୍ଧରେ ପ୍ରତିବାଦ କରିଛନ୍ତି । ୧୭ ମାସ ତଳେ ହୋଇଥିବା ନିଷ୍ପତ୍ତିକୁ ତୁରନ୍ତ କଯ୍ୟକାରୀ କରାଇବାକୁ ସେମାନେ ଦାବି କରିଛନ୍ତି । ଏନେଇ ଜିଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ସମାଧାନ ନ କେଲେ ଖଣି ବନ୍ଦ କରିଦେବେ ବୋଲି ଲୋକେ ଚେତାବନୀ ଦେଇଛନ୍ତି ।
ବାରମ୍ବାର ଏଭଳି ଅଭଯୋଗ ହେଉଥିଲେ ସୁଦ୍ଧା ଏମସିଏଲ କର୍ତ୍ତୃପକ୍ଷ କ୍ଷତିଗ୍ରସ୍ତଙ୍କ ସମସ୍ୟାର ସମାଧାନ କରିନାହାଁନ୍ତି । ଯଦି ଆଗାମୀ ଦିନରେ ଏମସିଏଲ କର୍ତ୍ତୃପକ୍ଷ ସମସ୍ୟାର ସମାଧାନ ନ କରନ୍ତି ତେବେ ତାଳଚେରବାସୀ ପୁଣି ଖଣି ବନ୍ଦ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ