ଅନୁଗୋଳ: ପରକୀୟା ପ୍ରୀତି ପଡିଲା ମହଙ୍ଗା । ଗ୍ରାମବାସୀ ଓ ମହିଳାଙ୍କ ପରିବାରଠୁ ନିସ୍ତୁକ ମାଡ ଖାଇଲେ ଯୁବକ ଓ ବିବାହିତ ମହିଳା । ବିବାହିତ ମହିଳାଙ୍କୁ ଦାଣ୍ଡରେ ବୁଲାଇଲେ ଲୋକେ । ଏଭଳି ଏକ ଘଟଣା ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଟାପଢୋଲ ଗ୍ରାମରେ ଦେଖିବାକୁ ମିଳିଛି । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।
ଟାପଢୋଲ ଗ୍ରାମର ମହିଳା ଜଣକ ବିବାହିତା ଓ ତାଙ୍କର 4 ବର୍ଷର ପିଲାଟିଏ ଅଛି । ପରିବାର ପ୍ରତିପୋଷଣ ପାଇଁ ଘରଠାରୁ ଦୂରରେ ରହି ଚାକିରି କରନ୍ତି ମହିଳାଙ୍କ ସ୍ବାମୀ । ସ୍ବାମୀ ଘରେ ରହୁ ନଥିବାବେଳେ ମହିଳା ଜଣଙ୍କ କିଶୋରନଗର ବ୍ଲକ ଉରୁକୁଳା ଗ୍ରାମର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢିଥିଲେ ।
ଅଜଣା ନମ୍ବରର ମିସ୍କଲରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ପରେ ବିବାହିତ ମହିଳାଙ୍କ ଘରକୁ ରାତିରେ ଯୁବକ ଜଣଙ୍କ ଆସିଥିଲେ । ତେବେ ଘରେ ଶ୍ବଶୂର ପ୍ରଥମେ ଦୁହିଁଙ୍କୁ ଅସଂଯତ ଅବସ୍ଥାରେ ଦେଖିବା ପରେ, ଦୁଇଜଣଙ୍କୁ ଘର ଭିତରେ ତାଲା ପକାଇ ଦେଇଥିଲେ । ପରେ ଘରର ଅନ୍ୟ ସଦସ୍ୟମାନଙ୍କୁ ଡାକିଥିଲେ । ଦୁହିଁଙ୍କୁ ମାଡ ମାରିବା ସହ ଗାଁରେ ଚଲାଇ ଚଲାଇ ନିଆଯାଇଥିବା କୁହାଯାଉଛି । ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ