ଅନୁଗୋଳ: ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ଜଙ୍ଗଲରେ ନିଆଁ ଲାଗି ବ୍ୟାପକ ବୃକ୍ଷଲତା ନଷ୍ଟ ହେବା ଏବଂ ଜୀବଜନ୍ତୁ ମୃତ୍ୟୁବରଣ କରିବା ଏକ ସାଧାରଣ କଥାରେ ପରିଣତ ହୋଇଗଲାଣି । କିନ୍ତୁ ଅନୁଗୋଳ ବନାଞ୍ଚଳର ପଥରଗଡ ସଂରକ୍ଷିତ ଜଙ୍ଗଲରେ ଦୀର୍ଘ ୧୦ବର୍ଷ ହେଲା ନିଆଁ ସ୍ପର୍ଶ କରି ପାରି ନାହିଁ। ଏହା କେବଳ ସମ୍ଭବ ହୋଇ ପାରିଛି ଗ୍ରାମବାସୀଙ୍କ ସାମୁହିକ ଉଦ୍ୟମ ଏବଂ ଜଙ୍ଗଲ ସୁରକ୍ଷା ପାଇଁ ସେମାନେ ନେଉଥିବା ଆବଶ୍ୟକ ପଦକ୍ଷେପ ଯୋଗୁଁ । ଗାଁର ସମସ୍ତ ମହିଳା, ପୁରୁଷ ଓ ଯୁବକ ନିଷ୍ଠାର ସହ ନିଜ ଜଙ୍ଗଲକୁ ନିଜେ ସୁରକ୍ଷା ଦେଇ ଆସୁଛନ୍ତି ।
ଗାଁର ନାଁ ପଥରଗଡ଼ । ଗାଁ ଚାରିପଟେ ପଥରଯୁକ୍ତ ପାହାଡ଼ ଥିବାରୁ ଗାଁର ନାମ କାରଣ ଏଭଳି ହୋଇଛି । ଏହି ପଥରଗଡ ଗ୍ରାମବାସୀଙ୍କ ନିଶା କିନ୍ତୁ ଅଲଗା । ଶୁଣିଲେ ଅବିଶ୍ଵାସ ଲାଗିପାରେ ,କିନ୍ତୁ ବାସ୍ତବତା ହେଉଛି ଗ୍ରାମବାସୀଙ୍କ ଜଙ୍ଗଲ ପ୍ରୀତି । ଗାଁର ଜଙ୍ଗଲ ସୁରକ୍ଷା ଦୀର୍ଘ ୧୦ବର୍ଷ ହେଲା ପ୍ରାୟ ୧୦୦ ହେକ୍ଟରରୁ ଅଧିକ ଜଙ୍ଗଲ ସୁରକ୍ଷା କରି ଆସୁଛନ୍ତି । ସକାଳ ହେଲେ ସେମାନଙ୍କ ଜଙ୍ଗଲ ସୁରକ୍ଷା ଚିନ୍ତା। ପ୍ରତ୍ୟକ ଦିନ ପାଳି କରି ୩/୪ଜଣ ଠେଙ୍ଗାବାଡି ଧରି ସକାଳୁ ଜଙ୍ଗଲକୁ ଯାଆନ୍ତି । ସନ୍ଧ୍ୟା ପର୍ଯ୍ୟନ୍ତ ବୁଲି ବୁଲି ଜଙ୍ଗଲର ଦେଖାଶୁଣା କରନ୍ତି । ଜଙ୍ଗଲରୁ ବାହାର ଲୋକଙ୍କୁ କାଠ ଖଣ୍ଡିଏ କାଟିବାକୁ ଦିଅନ୍ତି ନାହିଁ । ସବୁଠାରୁ ବଡ଼ କଥା ହେଉଛି ସବୁଆଡେ ଜଙ୍ଗଲରେ ନିଆଁ ଲାଗୁଥିବା ବେଳେ ଏହି ଜଙ୍ଗଲରେ ୧୦ବର୍ଷ ହେଲା ନିଆଁ ଲଗାଇବାକୁ ଦେଇ ନାହାନ୍ତି । ଯେତେବେଳେ ବନାଗ୍ନି ସାରା ଓଡିଶାର ଅଧା ଜଙ୍ଗଲକୁ ଗ୍ରାସ କରିଥିଲା ସେତେବେଳେ ମଧ୍ୟ ଗ୍ରାମବାସୀ ସେମାନଙ୍କ ପ୍ରଚେଷ୍ଟା ଯୋଗୁ ଜଙ୍ଗଲକୁ ବଞ୍ଚାଇ ରଖିଛନ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ମଧ୍ୟ ଚାରିଆଡେ ଭରିଯାଇଛି ସବୁଜିମା ।
ଗାଁରେ ଜଙ୍ଗଲ ବିଭାଗ ତରଫରୁ ଗଠନ କରାଯାଇଛି ବନ ସୁରକ୍ଷା ସମିତି । ପ୍ରତିବର୍ଷ ଗ୍ରୀଷ୍ମ ଆରମ୍ଭରୁ ଗାଁର ସମସ୍ତେ ଯାଇ ଜଙ୍ଗଲ ଚାରିପଟେ ଫାୟାର ଲାଇନ କରନ୍ତି । ଝାଡୁ ଧରି ଶୁଖିଲା ପତ୍ର ଗୁଡିକୁ ଅଲଗା କରି ଦିଅନ୍ତି । ଯାହା ଫଳରେ ନିଆଁ ଲାଗିଲେ ମଧ୍ୟ ଜଙ୍ଗଲ ଭିତରକୁ ପ୍ରବେଶ କରି ପାରିବ ନାହିଁ। ଗ୍ରାମବାସୀଙ୍କ ଏଭଳି ଆଗ୍ରହ ଓ ଉଦ୍ୟମ ଦେଖି ବନ ବିଭାଗ ସେମାନଙ୍କୁ ସହଯୋଗର ହାତ ବଢାଇଛି। ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀ ମାନେ ଗାଁକୁ ଯାଇ ଲୋକଙ୍କୁ ଆହୁରି ଅଧିକ ଉତ୍ସାହିତ କରୁଛନ୍ତି। ସେମାନଙ୍କ ପାଇଁ ଆମ ଜଙ୍ଗଲ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଫଳରେ ବିଭିନ୍ନ କାମ କରି ଲୋକେ ଅର୍ଥ ରୋଜଗାର କରି ପାରୁଛନ୍ତି। ଜଙ୍ଗଲ ସୁରକ୍ଷା ପାଇଁ ବନ ବିଭାଗ ତରଫରୁ ଗାଁକୁ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଉଛି।
ବର୍ତ୍ତମାନ ସମୟରେ ବିକାଶ ନାଁରେ ଯେଉଁଭଳି ଭାବେ ବ୍ୟାପକ ଜଙ୍ଗଲ ସଫା କରା ଯାଉଛି ଏହାର ପ୍ରଭାବ ପରିବେଶ ଉପରେ ପଡୁଛି। ତେଣୁ ପଥରଗଡ ଗ୍ରାମବାସୀଙ୍କ ଏମିତି ପ୍ରୟାସ କେବଳ ସେମାନଙ୍କ ପାଇଁ ନୁହେଁ ବରଂ ଆମ ସମସ୍ତଙ୍କ ପାଇଁ ଉପକାର ହୋଇ ପାରିବ। ପଥରଗଡ ଗ୍ରାମବାସୀ ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିବେ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ