ଅନୁଗୋଳ: ଏବେ ଗାଁ ଗାଁରେ ନିର୍ବାଚନୀ ଉଷ୍ମତା । ଗାଁ, ସାହିରେ ଶହ ଶହ ବ୍ୟାନର ଓ ପୋଷ୍ଟର ଦେଖିବାକୁ ମିଳୁଛି । ଛକ ଦୋକାନ ଓ ଘର ଅଗଣା ସବୁଠି ନିର୍ବାଚନୀ ଆଲୋଚନା । ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କ ସହ ଘର ଘର ବୁଲି ଭୋଟରଙ୍କୁ ମନେଇବାର ପ୍ରୟାସ ଜାରି ରଖିଛନ୍ତି । ଅନୁଗୋଳ ବ୍ଲକର ବଲାସିଂହା ପଞ୍ଚାୟତରେ ମଧ୍ୟ ପ୍ରଚାର-ପ୍ରସାରରେ କମ୍ପୁଛି ଗାଁ ।
ଅନୁଗୋଳ ଜିଲାର ଅନୁଗୋଳ ବ୍ଲକର ବଲାସିଂହା ପଞ୍ଚାୟତ । ଏହି ପଞ୍ଚାୟତରେ ରହିଛି ବଲାସିଂହା, ସୁରାବ, ଫୁଲପାଳ, ହାଣଡିହ, ପଣ୍ଡପୁର, ବିଶ୍ୱନାଥପୁର, କାଂଶନାଳୀ, ତାଳସାହି ଓ ବାଲିସାହି । ପଞ୍ଚାୟତର ଲୋକସଂଖ୍ୟା ୭୨୦୦ । ଏଠାରେ ମୋଟ ଭୋଟରଙ୍କ ସଂଖ୍ୟା ୪୮୦୪ ହୋଇ ଥିବାବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୨୬୦୦ । ପଞ୍ଚାୟତରେ ମୋଟ ୱାର୍ଡ ସଂଖ୍ୟା ୧୬ । ଗତ ୨୦୧୭ରେ ଏହି ପଞ୍ଚାୟତରେ ସରପଞ୍ଚ ପଦବୀ ଅଣସଂରକ୍ଷିତ ଥିଲା । ତେଣୁ ଏଠାରେ ଅଶୋକ ସାହୁ ସରପଞ୍ଚ ଭାବେ ବିଜୟୀ ହୋଇଥିଲେ । ତେବେ ଏଥର ସରପଞ୍ଚ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।
ତେଣୁ ଏଥର ନିର୍ବାଚନ ରଣାଙ୍ଗନରେ ୫ଜଣ ମହିଳା ଅବତୀର୍ଣ୍ଣ ହୋଇଛନ୍ତି । ସେହିପରି ସମିତି ସଭ୍ୟ ପଦବୀ ପାଇଁ ୬ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ପଞ୍ଚାୟତର ଗାଁ ଗାଁରେ ନିର୍ବାଚନୀ ବାତାବରଣ ବେସ ସରଗରମ ହୋଇପଡିଛି । ସାହି ସାହିରେ କେବଳ ନିର୍ବାଚନୀ ଆଲୋଚନା । କିଏ ଜିତିବ, କାହାକୁ ଭୋଟ ଦେବେ ଏମିତି କେତେକଣ ଆଲୋଚନା ଚାଲିଛି । ଗାଁ ଦାଣ୍ଡ ବିଭିନ୍ନ ରାଜନୈତିକ ଦଳର ପତାକା ମାଳାରେ ଭରପୁର ହୋଇ ଯାଇଛି । ପ୍ରାର୍ଥୀମାନଙ୍କ ବ୍ୟାନର ସବୁଠି ଦେଖିବାକୁ ମିଳୁଛି । କେହି କେହି ନୂଆ ମୁହଁ ଦେଖିବାକୁ ଚାହୁଁଛନ୍ତି । ଆଉ କେହି ପୂର୍ବତନ ସରପଞ୍ଚଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ଥିବାରୁ ନୂଆ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇବାକୁ ସ୍ଥିର କରିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ