ଅନୁଗୋଳ: ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ଓମ ପ୍ରକାଶ ଜିନ୍ଦଲ ଫୁଟବଲ ଟୁର୍ଣ୍ଣାମେଣ୍ଟ । ମୁଖ୍ୟ ଅତିଥି ତଥା ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ପ୍ରଧାନ ଓ ଅନ୍ୟ ସମ୍ମାନୀୟ ଅତିଥିଙ୍କ ଉପସ୍ଥିତରେ ମ୍ୟାଚର ଶୁଭାରମ୍ଭ ହୋଇଥିଲା । ଆସନ୍ତା ୭ ଦିନ ଧରି ଚାଲିବ ମ୍ୟାଚ । ଉଦଘାଟନୀ ମ୍ୟାଚରେ ପାଲଲହଡ଼ା ଫୁଟବଲ ଟିମ ହରାଇ ନାଲକୋ ଜୁନିୟର ଦଳ ବିଜୟୀ ହୋଇଛି ।
ଅନୁଗୋଳରେ ଶିଳ୍ପପତି ତଥା ଜିନ୍ଦଲ ଗ୍ରୁପର ପ୍ରତିଷ୍ଠାତା ଓମ ପ୍ରକାଶ ଜିନ୍ଦଲଙ୍କ ଜନ୍ମ ବାର୍ଷିକୀ ଉତ୍ସବରେ ଜିଲ୍ଲା କ୍ରୀଡା ବିଭାଗ ପକ୍ଷରୁ ପ୍ରତିବର୍ଷ ଏହି ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇଥାଏ । ତେବେ ଏହି ଉଦଘାଟନୀ ମ୍ୟାଚ ଆରମ୍ଭରୁ ବେଶ ଚିତ୍ତାକର୍ଷକ ଥିବା ବେଳେ ପ୍ରଥମାର୍ଦ୍ଧ ପୂର୍ବରୁ ଉଭୟ ଦଳ ଗୋଟିଏ ଲେଖାଁଏ ଗୋଲ ସ୍କୋର କରିଥିଲେ । ତେବେ ଦ୍ଵିତୀୟାର୍ଦ୍ଧରେ ନାଲକୋ ଦଳ ଆଉ ଗୋଟିଏ ଗୋଲ ସ୍କୋର କରି ୨-୧ ରେ ମ୍ୟାଚକୁ ଜିତି ନେଇଥିଲା । କୋରୋନା କଟକଣା ପାଇଁ ଗତ ଦୁଇ ବର୍ଷ ହେବ ମ୍ୟାଚ ବନ୍ଦ ରହିଥିବା ବେଳେ ଏଥର ମ୍ୟାଚ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଅନୁଗୋଳ ଷ୍ଟାଡିୟମରେ ଏକାଠି ହୋଇଥିଲେ ।
ଇଟିଭି ଭାରତ, ଅନୁଗୋଳ