ଅନୁଗୋଳ: ଏମିତି ବି ଆସେ ମୃତ୍ୟୁ । ଖେଳୁଥିବାବେଳେ ଚାଲିଗଲା ନାବାଳକର ଜୀବନ । ଟିଣ ଆଜବେଷ୍ଟରେ ବେକ କଟି ଚାଲିଗଲା ପ୍ରାଣ । ଏହି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାର ପାଳଲହଡା ଅଞ୍ଚଳରେ ।
ପାଳଲହଡା ଥାନା ବନ୍ଧାଭୁଇଁ ପଞ୍ଚାୟତ ପଟାମୁଣ୍ଡ ଗାଁରେ ଖେଳୁଥିବା ସମୟରେ ଟିଣ ଆଜବେଷ୍ଟସରେ ବେକ କଟି ଜଣେ ବାର ବର୍ଷ ବାଳକର ମୃତ୍ୟୁ ଘଟିଛି । ମୃତ ବାଳକ ପଟାମୁଣ୍ଡ ଗାଁର ବିଭୁ ପରିହାର ।
ସୂଚନା ଅନୁସାରେ, ପଟ୍ଟାମୁଣ୍ଡ ଗାଁର ପ୍ରଫୁଲ୍ଲ ପରିହାରଙ୍କ ବାର ବର୍ଷର ପୁଅ ବିଭୁ ତାର କିଛି ସାଙ୍ଗ ମାନଙ୍କ ସହ ଘର ପାଖରେ ଲୁଚକାଳି ଖେଳୁଥିଲେ । ଖୁସିରେ ସାଙ୍ଗମାନଙ୍କ ସହ ଦୌଡୁଥିବାବେଳେ ଅଳ୍ପ ଉଚ୍ଚରେ ଲାଗିଥିବା କୁକୁଡା ଫାର୍ମର ଟିଣ ଆଜବେଷ୍ଟସ ସିଟରେ ବାଜି ବିଭୁ ପରିହାରର ବେକ କଟି ଯାଇଥିଲା ।
ବେକର ଅଧା ଅଂଶ କଟି ଯାଇଥିବାବେଳେ ଅତି ଗୁରୁତର ଅବସ୍ଥାରେ ତାଙ୍କୁ ପାଲଲହଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ହିଁ ବିଭୁ ପରିହାରର ମୃତ୍ୟୁ ଘଟିଥିଲା । ତେବେ ତାଙ୍କର ଅତ୍ୟଧିକ ରକ୍ତସ୍ରାବ ଯୋଗୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବାଳକର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ