ଅନୁଗୋଳ: ବିବାହ ଆମ ସାମାଜିକ ନୀତି ଓ ପରମ୍ପରା । ହେଲେ ଦିନକୁ ଦିନ ଏହା ବ୍ୟୟବହୁଳ ହୋଇପଡୁଛି । ଯୌତୁକ ରୂପୀ ରାକ୍ଷାସ କବଳରେ ହନ୍ତସନ୍ତ ହେଉଛନ୍ତି କନ୍ୟାପକ୍ଷ ଓ ନବବଧୂ । ଗରିବ ମା, ବାପାଟିଏ ନିଜ ପୁଅଝିଅଙ୍କ ବିବାହ ପାଇଁ ଋଣ କରଜରେ ବୁଡିମରନ୍ତି। ଟଙ୍କା ଅଭାବରୁ ବହୁଜଣ ବିବାହ କରିପାରୁନଥିବା ନଜିର ବି ରହିଛି। ଆଉ ଏମିତି ଏକ ସମୟରେ ବେଶ ଆଦୃତ ହେଉଛି ସାମୂହିକ ବିବାହ। ଅନୁଗୋଳର ବିଭିନ୍ନ ସମାଜିକ ସଙ୍ଗଠନ ୫୫ ଯୋଡା ଗରିବ ପୁଅଝିଅଙ୍କୁ ବିବାହ କରାଇ ଆଦର୍ଶ ଉଦାହରଣଟିଏ ସୃଷ୍ଟି କରିଛି।
ଉତ୍ସବ ମୁଖର ମାହୋଲ । ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ହେଉଛି ସମଗ୍ର ପରିବେଶ । ବାହା ବେଦିରେ ବାପ ମାଆ ଛେଉଣ୍ଡ ପୁଅକୁ ମିଳିଛି ଆଉ ଦୁଇ ବାପା ମାଆ। ଗରିବ ଝିଅଟି ବି ନିଜକୁ ଅଭାଗା ଅନୁଭବ କରୁନି । ପାରମ୍ପରିକ ରୀତିନୀତିରେ ଚାଲିଛି ବିବାହ କାର୍ଯ୍ୟ । ଗୋଟିଏ କି ଦୁଇ ଯୋଡି ନୁହେଁ, 55 ଯୋଡି ବରକନ୍ୟା ଅଗ୍ନିକୁ ସାକ୍ଷୀରଖି ଏକାସାଙ୍ଗରେ ବାହା ହେବା ସହ ନୂଆ ସଂସାରଟିଏ ଗଢିଛନ୍ତି। ଅନୁଗୋଳ ସରସ୍ଵତୀ ଶିଶୁମନ୍ଦିର ପରିସରରେ ଦେଖିବାକୁ ମିଳିଥିଲା ଏହି ସାମୂହିକ ବିବାହ ।

ଗୋଟିଏ ସ୍ଥାନରୁ ଉଚ୍ଚାରିତ ହେଉଥିଲା ମନ୍ତ୍ର । ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀର ପ୍ରତ୍ୟକ୍ଷ ତତ୍ୱାବଧାନ ଆୟୋଜନ ହୋଇଥିଲା ଏହି ସାମୁହିକ ବିବାହ । ପ୍ରତ୍ୟେକ ବର ଓ କନ୍ୟା ପକ୍ଷରୁ 25 ଜଣ ଲେଖାଁଏ ଏହି ବିବାହ ଉତ୍ସବରେ ସାମିଲ ହୋଇଥିଲେ । ନବଦମ୍ପତିଙ୍କୁ ପ୍ରାୟ ୨୫ ହଜାର ଟଙ୍କାର ଆସବାବ ପତ୍ର ମଧ୍ୟ ଉପହାର ଆକାରରେ ଦିଆଯାଇଛି । ବିବାହ ପରେ ସମସ୍ତ ବରକନ୍ୟାଙ୍କୁ ବ୍ୟାଣ୍ଡ ବଜାଇ ଶୋଭାଯାତ୍ରାରେ ସହର ପରିକ୍ରମା କରାଇବା ଦୃଶ୍ୟ ଥିଲା ବେଶ ଆକର୍ଷଣୀୟ ।
ସାମ୍ପ୍ରତିକ ସମାଜରେ ବ୍ୟୟବହୁଳ ବିବାହ, ଯୌତୁକ ରୂପି ରାକ୍ଷାସ ଯୋଗୁଁ ଗରିବ ପିତାମାତା ଶ୍ୱାସରୁଦ୍ଧ ହୋଇଯାନ୍ତି। ଆଉ ଠିକ ଏତିକି ବେଳେ ପ୍ରେରଣାଦାୟୀ ହୋଇଉଠୁଛି ଏପରି କିଛି ସାମୁହିକ ବିବାହ ପରମ୍ପରା।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ