ଅନୁଗୋଳ: କ୍ଷତିପୂରଣ ଓ ଥଇଥାନ ନକରି କମ୍ପାନୀ ଆରମ୍ଭ କରିଥିବା ଗଛକଟାକୁ ବିରୋଧ କରିଛନ୍ତି ଲୋକେ । ଏନେଇ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ।
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଗୋପୀବଲ୍ଲଭପୁର (ନାଣ୍ଡିଛୋଡ)ଗ୍ରାମରେ ନାଲକୋର କୋଇଲା ଉତ୍ତୋଳନ ପାଇଁ ମୈତ୍ରୀ ନାମକ ଏକ କମ୍ପାନୀ ଠିକା ନେଇଛି । ଏହି କମ୍ପାନୀ ଆରମ୍ଭ ହେବା ପୂର୍ବରୁ ଏଠିକାର ଲୋକଙ୍କୁ କ୍ଷତିପୂରଣ ଓ ଥଇଥାନ କରିବ ବୋଲି ପ୍ରତିଶୃତି ଦେଇଥିଲା । ହେଲେ କମ୍ପାନୀ ଏବେ ତାହା ଭୁଲିଯାଇଛି ।
କମ୍ପାନୀର ଇଡି ସତ୍ୟନାରାୟଣ, ଫିଲ୍ଡ ଅଫିସର କୈଳାସ ଚନ୍ଦ୍ର ସାହୁ କମ୍ପାନୀର କିଛି କର୍ମଚାରୀଙ୍କୁ ନେଇ ଗ୍ରାମ ମୁଣ୍ଡରେ ଥିବା ଏକ ବଡ଼ ଶାଳ ଗଛକୁ ମେସିନ୍ ସାହାଯ୍ୟରେ କାଟୁଥିଲେ । ଏହାକୁ ଦେଖି ନିଶା ଶିଳ୍ପାଞ୍ଚଳ ଥାନା ଗୋପୀବଲ୍ଲଭପୁର ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହ ସେମାନଙ୍କୁ ଘେରିଯାଇଥିଲେ । ଏହାସହିତ ସେମାନେ ଆଣିଥିବା ଗଛକଟା ମେସିନକୁ ମଧ୍ୟ ଜବତ କରିଥିଲେ । ପ୍ରତିଶୃତି ଦେଇ ପ୍ରତାରଣା କରି ଗଛ କାଟୁଥିବାକୁ ବିରୋଧ କରିବା ସହ ୩ ଘଣ୍ଟା ଧରି କର୍ମଚାରୀ ମାନେ ଅଟକ ରହିଥିଲେ । ପରେ ଗ୍ରାମବାସୀଙ୍କ ଆଗରେ ମୁଣ୍ଡ ନୁଆଁଇ ଥିଲେ ଇଡି ସତ୍ୟ ନାରାୟଣ । ଦେଇଥିବା ପ୍ରତିଶ୍ରୁତି ପାଳନ ନକରିବା ପର୍ଯ୍ୟନ୍ତ କମ୍ପାନୀ କର୍ମଚାରୀ ଗ୍ରାମ ଭିତରେ ପଶି ପାରିବେ ନାହିଁ ବୋଲି କହିଥିଲେ ।
ଏହାସହ ଗାଁରେ କୌଣସି ସର୍ଭେ କାର୍ଯ୍ୟ କରିବେ ନାହିଁ ଏବଂ ଗ୍ରାମରୁ କୌଣସି ଗଛ କଟାଯିବ ନାହିଁ ବୋଲି ପ୍ରତିଶୃତି ହେଇଥିଲେ ଇଡି । ପ୍ରତିଶ୍ରୁତି ପାଇବାପରେ ଗ୍ରାମବାସୀ କମ୍ପାନୀର କର୍ମଚାରୀଙ୍କୁ ଛାଡ଼ି ଥିଲେ। ତେବେ ଯଦି ପୁର୍ନବାର ଏଭଳି କାମ କମ୍ପାନୀ କର୍ମଚାରୀ କରନ୍ତି ତେବେ ପରିସ୍ଥିତି ଭୟଙ୍କର ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଥିଲେ ।
ଇଟିଭି ଭାରତ, ଅନୁଗୋଳ