ଅନୁଗୋଳ: ଦିନେ ନୁହେଁ ନୁହେଁ କି ଦୁଇ ଦିନ ନୁହେଁ ଦୁଇ ବର୍ଷ ହେବ ଅନୁଗୋଳ କଣିହାଁରେ ବ୍ୟାପୁଛି କିଡନୀ ରୋଗ । ବର୍ତ୍ତମାନ ସୁଦ୍ଧା ଏହି ରୋଗ ନେଲାଣି 30 ଜୀବନ । ଆଉ ଏବେ 10 ଅଧିକ ରୋଗୀ ଜୀବନ ମରଣ ସହ କରୁଛନ୍ତି ସଂଗ୍ରାମ । ଯାହାକୁ ନେଇ ଚିନ୍ତାରେ ଅଞ୍ଚଳବାସୀ । ରୋଗର ତୁରନ୍ତ ଏହାର ପ୍ରତିକାର ପାଇଁ ସ୍ବାସ୍ଥ୍ୟ ବିଭାଗ ନିକଟରେ ଦାବି କରିଛନ୍ତି ।
କଣିହାଁ ଅଞ୍ଚଳର କୁଳୁମା, ନିଳାପଶି, ଖିଣ୍ଡୋ, ଲକ୍ଷ୍ମୀପୁର ଓ ଓଳନ୍ଦା ଗାଁରେ ନିଜର କାୟା ବିସ୍ତାର କରିଛି କିଡନୀ ରୋଗ । ରୋଗର କାରଣ ନଳକୂଅ ପାଣି ବୋଲି ଅନୁମାନ କରାଯାଉଛି । ଏପଟେ ଖବର ପାଇ ସ୍ବାସ୍ଥ୍ୟ ବିଭାଗର ଏକ ଟିମ ମଧ୍ୟ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସଠିକ ଯାଞ୍ଚ ପରେ ଜଣା ପଡ଼ିବ କେଉଁ କାରଣରୁ କିଡନୀ ରୋଗରେ ଗ୍ରାମବାସୀ ଆକ୍ରାନ୍ତ ହେଉଛନ୍ତି । ତେବେ ଏ ରୋଗରେ କେତେ ଜଣ ପ୍ରାଣ ହରାଇଥିବା ବିଷୟରେ ସରକାରୀ ସ୍ତରରେ କୈାଣସି ସଠିକ ତଥ୍ୟ ନାହିଁ ।
ଏହି ରୋଗ ବ୍ୟାପିବା ନେଇ ଆଗରୁ ଅନେକ ଥର ସ୍ବାସ୍ଥ୍ୟ ବିଭାଗକୁ ଅଭିଯୋଗ କରାଯାଇଥିଲା । ଯଦି ପୂର୍ବରୁ ସଠିକ ପଦକ୍ଷେପ ଗ୍ରହଣ କରାଯାଇଥାନ୍ତା ହୁଏତ ବହୁ ଜୀବନ ବଞ୍ଚି ଯାଇ ଥାଆନ୍ତା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ