ଅନୁଗୋଳ: ଶିଳ୍ପ ଜିଲ୍ଲାରେ ଅପନ୍ତରିଆ ଗାଁ । ସବୁ ଥାଇ ବି ଗାଁ ଟି ଅପହଞ୍ଚ । ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୧୫ କିଲୋମିଟର ଦୂରରେ ଥିଲେ ବି ଗାଁ କୁ ନାହିଁ ସବୁଦିନିଆ ରାସ୍ତା । ପାଦ ଚଲା ରାସ୍ତାରେ ପ୍ରାୟ ୩ କିମି ନାଳ ପାର ହୋଇ ଗଲେ ମୁଖ୍ୟ ରାସ୍ତାକୁ ବାହାରିବାକୁ ହୁଏ। ତେଣୁ ସେହି ନାଳ ପାଲଟିଛି ଲୋକଙ୍କର ଦୁଃଖ । ନାଳ ଆରପଟେ ଗାଁ। ଏପଟେ ସ୍କୁଲ, କଲେଜ, ଡାକ୍ତରଖାନା, ଦୋକାନ ବଜାର ସବୁକିଛି। କିନ୍ତୁ ନାଳ ଉପରେ ପୋଲଟିଏ ନଥିବାରୁ ବହୁ କଷ୍ଟରେ ଯିବା ଆସିବା କରିବାକୁ ହୁଏ। ବର୍ଷା ଦିନେ ୩/୪ ମାସ ଗାଁରୁ ବହାରକୁ ବାହାରି ପାରନ୍ତି ନାହିଁ ଲୋକେ। କାମଧନ୍ଦା କରିବାକୁ ଯାଇନପାରି ଭୋକ ଉପାସରେ ରୁହନ୍ତି।
ପିଲାମାନେ ସ୍କୁଲ କଲେଜ ଯାଇ ପାରନ୍ତି ନାହିଁ। ଗୁରୁତର ରୋଗୀ ଚିକିତ୍ସା ପାଇଁ ଯାଇନପାରି ମୃତ୍ୟୁ ମୁଖରେ ପଡନ୍ତି। ଖରା ଦିନେ ଘର ପୋଡି ପରି ସମୟରେ ଦମକଳ ପହଞ୍ଚି ପାରେ ନାହିଁ। ଆମ୍ବୁଲାନ୍ସ କଣ ଏମାନେ ଜାଣନ୍ତି ନାହିଁ। ସହର ଠାରୁ ଅତି ନିକଟରେ ଗାଁ ଟି ଥିଲେ ମଧ୍ୟ ଦୁର୍ଗମ ଅପହଞ୍ଚ ଇଲାକାର ମଣିଷ ପରି ଜୀବନ ଜିଉଛନ୍ତି ଏମାନେ ।
ଗାଁ ଲୋକଙ୍କର ଏଭଳି ସମସ୍ୟା ଆଜି କାଲିର ନୁହେଁ। ଗାଁ ବସିଲା ଦିନୁ ଗମନାଗମନର ଉନ୍ନତି ହୋଇ ପାରି ନାହିଁ। ଲୋକେ ବିଡ଼ିଓଙ୍କ ଠାରୁ ଜିଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଛନ୍ତି। ନିର୍ବାଚନ ପରେ ନିର୍ବାଚନ ସରିଛି। ବିଭିନ୍ନ ଦଳର ପ୍ରାର୍ଥୀମାନେ ଗାଁକୁ ପ୍ରଚାର କରି ଯାଇଛନ୍ତି। ଲୋକଙ୍କୁ ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଭୋଟ ସରିଲେ ସବୁ ଭୁଲି ଯାଇଛନ୍ତି। ଏପରିକି ଗାଁରେ କେବେ କୌଣସି ନେତାଙ୍କ ପାଦ ପଡୁନି। ଶେଷରେ ସେମାନେ ନିରାଶ ହୋଇ ଭାଗ୍ୟକୁ ଆଦରି ଗାଁରେ ପଡି ରହିଛନ୍ତି। ସେମାନେ ଜାଣନ୍ତି ନାହିଁ ପ୍ରକୃତରେ କେବେ ନାଳ ଉପରେ ପୋଲ ନିର୍ମାଣ ହେବ। ଯାତାୟତର ସୁବିଧା ହେବ କି ନାହିଁ। ତଥାପି ଆଶା ବାନ୍ଧି ବସିଛନ୍ତି। ଦିନେନା ଦିନେ ସରକାର ତାଙ୍କ ଗୁହାରି ଶୁଣିବେ।
ଏ ସମ୍ପର୍କରେ ଅନୁଗୋଳ ବ୍ଲକର ସହକାରୀ ଯନ୍ତ୍ରୀ ହୃଦାନନ୍ଦ ବେହେରା କହିଛନ୍ତି ରାସ୍ତାର କିଛି ଅଂଶ ବନ ବିଭାଗ ରେକର୍ଡରେ ରହିଛି। ସେହି ଜମି ରାଜସ୍ୱ ବିଭାଗକୁ ହସ୍ତାନ୍ତର ହେବା ପରେ ହିଁ ଯାହାକିଛି କରାଯାଇ ପାରିବ। ସେଥିପାଇଁ ସେହି ଗାଁରେ ଫରେଷ୍ଟ ରାଇଟ କମିଟି ଗଠନ କରାଯାଉଛି। ବନ ବିଭାଗ ରାସ୍ତା ପାଇଁ ଆବଶ୍ୟକ ଜମିକୁ ସେହି କମିଟିକୁ ହସ୍ତାନ୍ତର କରିବା ପରେ ଅନୁଗୋଳ ସ୍ୱତନ୍ତ୍ର ଜିଲ୍ଲା ହେବାର ୨୭ ବର୍ଷ ବିତିଲାଣି। ହେଲେ ରାମିମୁଣ୍ଡା ଗାଁକୁ ରାସ୍ତାଟିଏ ହୋଇ ପାରିଲା ନାହିଁ। ପ୍ରଶାସନିକ ଅଧିକାରୀଙ୍କ ଠାରୁ ନିର୍ବାଚିତ ଲୋକ ପ୍ରତିନିଧି ସମସ୍ତେ ଏଠି କେବଳ ଲୋକଙ୍କୁ ଠକିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ