ଅନୁଗୋଳ: ରାଜ୍ୟରେ ବେଧଡକ ଭାବେ ଚାଲିଛି ଗୋରୁ ଚୋରା ଚାଲାଣ । ବେଆଇନ ଭାବେ ଏହି ଗୋରଙ୍କୁ ରାଜ୍ୟ ବାହାରକୁ ଚାଲାଣ କରାଯାଉଛି । ଏହି କ୍ରମରେ ଗୋଟିଏ ଦିନରେ ଦୁଇ ଦୁଇଟି ସ୍ଥାନରୁ ବେଆଇନ ଗୋରୁ ଚାଲାଣ ଗାଡିକୁ ଉଦ୍ଧାର କରାଯାଇଛି ।
ଶନିବାର ବଡି ଭୋରୁ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅଞ୍ଚଳରେ 10ଟି ଗୋରୁ ବୋଝେଇ କଣ୍ଟେନର ଜବତ ହୋଇଛି । ଏଥିସହିତ 1000ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର କରାଯାଇଛି । ଉକ୍ତ ଗୋରୁଙ୍କୁ ଢେଙ୍କାନାଳ ଦେଇ କୋଲକାତା ଚାଲାଣ ହେଉଥିଲା । ପୂର୍ବରୁ ଏସମ୍ପର୍କରେ ଖବର ପାଇଁ ରାଜ୍ୟର ଏକ ସ୍ବତନ୍ତ୍ର ସ୍କ୍ବାର୍ଡ ଏହି ଗାଡିକୁ ଧରିବାକୁ ଯୋଜନା କରିଥିଲା ।
ଚାଲାଣକାରୀ ଅନେକ ଦାମୀ ଗାଡିରେ ଗୋରୁ ବୋଝେଇ କଣ୍ଟେନର ଗୁଡିକୁ ପାଇଲଟିଂ କରି ନେଉଥିଲେ । ଏହି ସମୟରେ ପୋଲିସକୁ ଦେଖି ତାଙ୍କ ଉପରକୁ ଗୁଳି ଚଳାଇ ଖସି ଯିବାକୁ ଚେଷ୍ଟା କରିଥିଲେ । ଉକ୍ତ ମାମଲାରେ ପୋଲିସ 6 ଜଣଙ୍କୁ ଗିରଫ କରିଥିବାବେଳେ ନିହଲପ୍ରସାଦ ଥାନା ଗଣ୍ଡା ନାଲି ନିକଟରେ କୌଶଳକ୍ରମେ କିଛି ଚାଲାଣକାରୀ ଫେରାର ହେବାରେ ସକ୍ଷମ ହୋଇଛନ୍ତି । ତେବେ ଗାଈ ଗୁଡିକୁ ବୌଦ୍ଧ, ସୋନପୁର, ସମ୍ବଲପୁର, ଅନୁଗୋଳ ଆଦି ଜିଲ୍ଲାରୁ ଆଣି ବାହାରକୁ ଚାଲାଣ କରୁଥିବା ପ୍ରାଥମିକ ତଦନ୍ତ ପରେ ଜଣାପଡିଛି ।
ସେହିପରି ଶନିବାର ବାଲେଶ୍ବର ଜିଲ୍ଲା ସେରଗଡ଼ ଜାତୀୟ ରାଜପଥରେ ବେଆଇନ ଗୋ ଚାଲାଣ ଅଭିଯୋଗରେ 2ଟି କଣ୍ଟେନରକୁ ଅଟକ ରଖିଛନ୍ତି ଲୋକ । ଅଟକ 2ଟି କଣ୍ଟେନରରେ 200ରୁ ଊର୍ଦ୍ଧ୍ବ ଗୋରୁଙ୍କୁ ବେଆଇନ ଭାବେ ଚାଲାଣ କରାଯାଉଥିବା ସୂଚନା ମିଳିଥିଲା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ