ଅନୁଗୋଳ: ଲଗାଣ ବର୍ଷାରେ ବେହାଲ୍ ଅନୁଗୋଳ । ବିଭିନ୍ନ ସ୍ଥାନରେ ପାଣି ଜମି ରହି କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । କେତେକ ନାଳରେ ବର୍ଷା ଜଳ ପ୍ରବାହିତ ହେବାରୁ ଅନେକ ଗାଁ ଜଳବନ୍ଧୀ ମଧ୍ୟରେ ରହିଛି।
ଅନୁଗୋଳ ବ୍ଲକ ସାହାଡ଼ା ଗୋଡା ଗାଁକୁ ସଂଯୋଗ କରୁଥିବା ରାସ୍ତାର ଟାକୁଆ ପୋଲ ଉପରେ ପ୍ରାୟ ୪ଫୁଟ ପାଣି ପ୍ରବାହିତ ହେଉଛି। ଫଳରେ ଗମନାଗମନ ସମ୍ପୂର୍ଣ୍ଣ ଠପ ହୋଇ ଯାଇଛି । ଗାଁର ସେହି ଏକମାତ୍ର ରାସ୍ତା ଉପରେ ନିର୍ଭର କରୁଥିବା ୫ଶହରୁ ଅଧିକ ଗ୍ରାମବାସୀ ଦୀର୍ଘ ସମୟ ହେଲା ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଫଳରେ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି ।
ଅବିଶ୍ରାନ୍ତ ବର୍ଷା ଚାଲି ଥିବାରୁ ନାଳରେ ଆହୁରି ପାଣି ବଢିବାର ଆଶଙ୍କା ରହିଛି । ବ୍ରାହ୍ମଣୀଦେଇ ପଡାରେ ଲୋକଙ୍କ ଘରେ ପାଣି ପଶି ଯାଇଥିବରୁ ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି । ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ସହରର ଶଙ୍କର ସିନେମା ରୋଡ଼ରେ ରସ୍ତା ଉପରେ 3 ଫୁଟର ପାଣି ପ୍ରବାହିତ ହେଉଛି। ସେହିପରି ସହର ଅନ୍ୟ ବସ୍ତି ଓ ତଳିଆ ଅଞ୍ଚଳରେ ପାଣି ଘେରରେ ରହିଛି ।
ଇଟିଭି ଭାରତ, ଅନୁଗୋଳ