ଅନୁଗୋଳ: ପ୍ରବଳ ବର୍ଷାରେ ବେହାଲ ଅନୁଗୋଳ । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଥିବା ବେଳେ ସୋମବାର ସକାଳୁ ଅନୁଗୋଳରେ ପ୍ରବଳ ବର୍ଷା ଲାଗି ରହିଛି ।
ସୋମବାର ସକାଳୁ ଜିଲ୍ଲାରେ ପ୍ରାୟ ଘଣ୍ଟାଏ ଧରି ମୁଷଳ ଧାରାରେ ବର୍ଷା ହୋଇଥିଲା। ଫଳରେ ରାସ୍ତା ଉପରେ ଆଣ୍ଠୁଏ ପାଣି ଚାଲୁଛି । ଏଥିସହ ପ୍ରବଳ ବର୍ଷା ଯୋଗୁ ଉଠା ଦୋକାନୀ ମାନଙ୍କ ଜିନିଷପତ୍ର ଭାସିଯାଇଛି । ନାଳ ଗୁଡିକରେ ପାଣି ଭର୍ତ୍ତି ହୋଇ ରାସ୍ତାରେ ପାଣି ଚାଲୁଛି ।
ଏହି ବର୍ଷାରେ କିଛି ସମୟ ପାଇଁ ଜନଜୀବନ ପ୍ରଭାବିତ ହେବା ସହ ଗାଡି ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି । ବର୍ତ୍ତମାନ ଘଣ୍ଟାଏ ପରେ ବର୍ଷାର ପରିମାଣ କମିଥିଲେ ମଧ୍ୟ ଜିଲ୍ଲାରେ ଝିପି ଝିପି ବର୍ଷା ଲାଗି ରହିଛି।
ବର୍ଷା ପାଣି ନିଷ୍କାସନ ହୋଇ ନପାରି ରାସ୍ତାରେ ବର୍ଷା ପାଣି ଲହଡ଼ି ମାରୁଛି । ରବିବାର ରାତିରୁ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଥିବା ବେଳେ ଅନୁଗୋଳ ବ୍ଲକ ଅଞ୍ଚଳରେ ସର୍ବାଧିକ 44 ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଜିଲ୍ଲାରେ ମୋଟ 107 ମିଲିମିଟର ବର୍ଷା ହୋଇଥିବା ଜଣାପଡିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ