ଅନୁଗୋଳ: ଅନୁଗୋଳ ଜିଲ୍ଲାର 55 ନମ୍ବର ଜାତୀୟ ରାଜପଥ ହଣ୍ଡାପା ଥାନା କମରେଇଠାରେ ଟ୍ୟାଙ୍କର ଓଲଟି ପଡିଛି । ତେବେ କୌଣସି ବିପଦ ଆଶଙ୍କାକୁ ଟାଳିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ସେହି ରାସ୍ତାକୁ ସିଲ କରିଦିଆଯାଇଛି । ଗାଡି ଗୁଡିକୁ ବଇଣ୍ଡା ଦେଇ ବାମୁରୁ ପର୍ଯ୍ୟନ୍ତ ଛଡା ଯାଉଛି । ଯୁଦ୍ଧ କାଳୀନ ଭିତ୍ତିରେ ପରିସ୍ଥିତି ଆୟତ କରିବାକୁ ଉଦ୍ୟମ ଚାଲିଛି । ହଳଦିଆ, ବାଲେଶ୍ବର ଓ ଅନ୍ୟାନ୍ୟ ସ୍ଥାନରୁ ଅଭିଜ୍ଞ କର୍ମଚାରୀମାନେ ଆସି କିଭଳି ଓଲଟି ପଡିଥିବା ଟ୍ୟାଙ୍କରରୁ ଗ୍ୟାସ ଅନ୍ୟ ଟ୍ୟାଙ୍କରକୁ ଅଣା ଯାଇପାରିବ ସେଥିପାଇଁ ଚେଷ୍ଟା ଜାରି ରହିଛି ।
ଜିନ୍ଦଲରୁ ଏକ ଟ୍ୟାଙ୍କର ଅଣାଯାଇଛି । ଓଲଟି ପଡିଥିବା ଟ୍ୟାଙ୍କରରୁ ପ୍ରଥମେ ଗ୍ୟାସ ଖାଲି କରାଯିବ ତା ପରେ ତାକୁ କ୍ରେନ ସାହାଯ୍ୟରେ ଉଠାଯିବ । ଅନ୍ୟ ପକ୍ଷରେ ଯେଉଁ ସ୍ଥାନରେ ଟ୍ୟାଙ୍କରଟି ଓଲଟି ପଡିଛି, ସେ ଅଞ୍ଚଳର କମରେଇ, ମଣ୍ଡମ, ତକବା, ରଣୀଭୁଇଁ ଓ ପାଗବନ୍ଧା ଆଦି ଗାଁର ଲୋକେ ଭୟରେ ରୋଷେଇ କରୁ ନାହାଁନ୍ତି । ନାକଚି ଠାରେ ଥିବା ଏକ ସ୍କୁଲରେ ଗ୍ରାମବାସୀଙ୍କ ପାଇଁ ରୋଷେଇ ବ୍ୟବସ୍ଥା କରାଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ