ଅନୁଗୋଳ: ବଢୁଛି ଲୁଟେରାଙ୍କ ଉତ୍ପାତ । ଦିନକୁ ଦିନକୁ ରାଜ୍ୟରେ ଚୋରି ଡକାୟତି ବଢିବାରେ ଲାଗିଛି । ଅନୁଗୋଳ ଥାନା କାଙ୍କିନାଳଠାରେ ଜଣେ ରୂପା ବ୍ୟବସାୟୀଙ୍କ ଠାରୁ 4କିଲୋଗ୍ରାମର ରୂପା ଲୁଟ କରିଥିଲେ ଲୁଟେରା । ଘଟଣାରେ ପୋଲିସ ଚାରିଜଣଙ୍କୁ ଗିରଫ କରିଛି ।
ଅନୁଗୋଳ ଜିଲ୍ଲା ବାରସଙ୍ଗା ଗାଁର ମହେଶ୍ବର ସାହୁ ଜଣେ ରୂପା ବ୍ୟବସାୟୀ । ଗତ 2ତାରିଖ ଦିନ ସେ ବ୍ୟବସାୟ ସାରି ଘରକୁ ଫେରୁଥିବା ସମୟରେ କାଙ୍କିନାଳଠାରେ ତାଙ୍କୁ ଚାରିଜଣ ଡକାୟତ ଆକ୍ରମଣ କରିଥିଲେ । ଚାରି ଲୁଟେରା ମହେଶ୍ବରଙ୍କଠାରୁ 4କିଲୋଗ୍ରାମର ରୂପା ଓ ନଗଦ ଦଶ ହଜାର ଟଙ୍କା ଲୁଟି ନେଇଥିଲେ । ମହେଶ୍ବର ଏ ନେଇ ଥାନାରେ ଏତଲା ଦେଇଥିଲେ । ଏହା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ କରି ଚାରି ଲୁଟେରାଙ୍କ ଟେର ପାଇଥିଲା । ଚାରି ଲୁଟେରାଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ଲୁଟ ଅଳଙ୍କାର ମଧ୍ୟରୁ 2କେଜି 50ଗ୍ରାମ ଓଜନର ରୂପା ଓ ଏକ ମଟରସାଇକେଲ ଜବତ କରିଛି । ଚାରି ଲୁଟେରା ହେଲେ, ଖମଣ ଗାଁର ଅଜୟ ନାଏକ , ଭୋଗବେରେଣି ଗାଁର ପିତବାସ ନାଏକ , ବିକାଶ ନାଏକ ଓ କାଙ୍କିନାଳ ଗାଁର ବୁଦ୍ଧିମନ୍ତ ନାଏକ । ପୋଲିସ ଚାରିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛି ।
କୋରୋନା କାଳରେ ଲକଡାଉନ ସମୟରୁ ରାଜ୍ୟରେ ଚୋରି ଡକାୟତିର ମାତ୍ରା ବଢିଥିବା ପୋଲିସ କହିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ