ଅନୁଗୋଳ: ଆରପାରିରେ ଅନୁଗୋଳର ପୂର୍ବତନ ବିଧାୟକ ରମେଶ ଜେନା । ଗତ କିଛି ବର୍ଷ ହେଲା ଅସୁସ୍ଥ ଥିଲେ । ଆଜି ନାଲକୋ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ 84 ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ଅନୁଗୋଳରେ ଶୋକାର ଛାୟା ଖେଳି ଯାଇଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ସବୁ ରାଜନୈତିକ ଦଳ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି ।
ଅନୁଗୋଳର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କର ଆଜି (ଶନିବାର) ବିୟୋଗ ଘଟିଛି । ରମେଶ ଜେନା ୧୯୪୦ ମସିହାର ନଭେମ୍ବର ମାସ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସରୁ ପ୍ରାର୍ଥୀ ହୋଇ ଅନୁଗୋଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ୧୯୯୫ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଅନୁଗୋଳର ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।
ତେବେ ରମେଶଙ୍କ ବିୟୋଗରେ କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । "ଅନୁଗୋଳ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରମେଶ ଜେନାଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସ୍ଥାନୀୟ ଅଞ୍ଚଳର ବିକାଶ ଓ ଜନସାଧାରଣଙ୍କ ପାଇଁ ସେ କରିଥିବା କାର୍ଯ୍ୟ ଗୁଡିକ ଚିରସ୍ମରଣୀୟ ହୋଇ ରହିବ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି," ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଟ୍ୱିଟ ଯୋଗେ ପ୍ରକାଶ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ.....MLA Surjya Narayana Patro Passes Away: ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ
ସେପଟେ ରମେଶଙ୍କ ଦେହାନ୍ତ ଖବର ପାଇ ସବୁ ରାଜନୈତିକ ଦଳର ନେତାମାନେ ତାଙ୍କ କୁଲାଡ଼ ସ୍ଥିତ ବାସ ଭବନରେ ତାଙ୍କ ଶେଷ ଦର୍ଶନ କରିଥିଲେ । ଶେଷକୃତ୍ୟ ସମ୍ପର୍ଣ୍ଣ ପାଇଁ ତାଙ୍କ ପାର୍ଥିବ ଶରୀର ସ୍ୱର୍ଗଦ୍ୱାରକୁ ନିଆଯାଇଛି । ରମେଶ ଜେନାଙ୍କ ମୃତ୍ୟୁରେ ଗଭୀର ଶୋକ କରିବା ସହ ତାଙ୍କରି କାର୍ଯ୍ୟ ଅନୁଗୁଳବାସୀ ସବୁଦିନେ ମନେ ରଖିବେ ବୋଲି ବିଜେପି ଜିଲ୍ଲା ସଭାପତି ଡିଲେଶ୍ବର ପ୍ରଧାନ, ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ଏନ ଏସ ଆଇ ସି ଡ଼ାଇରେକ୍ଟର କାଳନ୍ଦି ସାମଲ,ପ୍ରାକ୍ତନ ମନ୍ତ୍ରୀ ସଞ୍ଜୀବ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ,ଅଗସ୍ତି ବେହେରା ,ପ୍ରତିମା ମିଶ୍ର ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକଙ୍କ ସମେତ ସମସ୍ତ ଜିଲ୍ଲା କମିଟି ତରଫରୁ ଏକ ଶୋକ ବାର୍ତ୍ତାରେ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ଅନୁଗୋଳ