ଅନୁଗୋଳ: ସାତକୋଶିଆ ପାଇଁ ଶୁଭ ଖବର । ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ମହାନଦୀ ଗଣ୍ଡରେ ମଗର କୁମ୍ଭୀର ଦେଇଥିବା ଅଣ୍ଡାରୁ ୫ ଶହରୁ ଊର୍ଦ୍ଧ୍ବ ଛୁଆ ଜନ୍ମ ନେଇଛନ୍ତି । ଗତ କିଛିମାସ ପୂର୍ବରୁ ନଦୀ କୂଳରେ କୁମ୍ଭୀରମାନେ ଅଣ୍ଡା ଦେଇଥିଲେ ।
![Satkoshia](https://etvbharatimages.akamaized.net/etvbharat/prod-images/od-ang-02-angul-crockdile-baby-birth-avo-7202779_03082020124842_0308f_1596439122_368.jpg)
ଜୁଲାଇ ମାସ ଶେଷ ସପ୍ତାହରେ ବିଭିନ୍ନ ସ୍ଥାନରେ ମଗର କୁମ୍ଭୀର ଛୁଆ ଅଣ୍ଡାରୁ ବାହାରି ପାଣି ଥିବା ବୁଦା ମୂଳରେ ଲାଗି ରହିଛନ୍ତି । ଆଠମଲ୍ଲିକ ବିନିକେଇ ଠାରୁ କଟରଙ୍ଗ ପର୍ଯ୍ୟନ୍ତ ଗଣ୍ଡ କୂଳରେ ଖରାଦିନେ କୁମ୍ଭୀର ଅଣ୍ଡାଦାନ କରିଥାନ୍ତି । ବାଗଧାରା ଖାଲ, ମହଲ ଡିଗା, ବଳଦ ମରା, ଝରଝରି, କୁମ୍ଭୀର ସ୍କିମ ତଳ, ମଝିପଡା ଘାଟ, ମାରଡ଼ା, ପୁରୁଣା ନେଚର କ୍ୟାମ୍ପ ଅଞ୍ଚଳ ବାଲି ଭିତରେ ପ୍ରାୟ ୧୦ରୁ ଅଧିକ କୁମ୍ଭୀର ଜଣେ ଜଣେ ଆନୁମାନିକ ୪୦ରୁ ୭୦ ଲେଖାଏଁ ଅଣ୍ଡା ଦେଇଥିଲେ ।
![Satkoshia](https://etvbharatimages.akamaized.net/etvbharat/prod-images/od-ang-02-angul-crockdile-baby-birth-avo-7202779_03082020124842_0308f_1596439122_242.jpg)
ବନବିଭାଗ ପାଟ୍ରୋଲିଂ କରୁଥିବା ସମୟରେ ଏହା ନଜରରେ ପଡିଥିଲା । ଏଥିସହ କୁମ୍ଭୀର ଛୁଆଗୁଡିକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି ।
ଏ ସମ୍ପର୍କରେ ସାତକୋଶିଆ ଡିଏଫ୍ଓ ରାମାସ୍ବାମୀ.ପି ସୂଚନା ଦେଇଥିବାବେଳେ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । ତେବେ ବିଭାଗ ପକ୍ଷରୁ ବୋଟ୍ରେ ପାଟ୍ରୋଲିଂ କରାଯାଉଛି । କୁମ୍ଭୀର ଛୁଆ ଥିବା ସ୍ଥାନକୁ କୌଣସି ଲୋକ କିମ୍ବା ମତ୍ସ୍ୟଜୀବୀମାନଙ୍କୁ ସେହି ଅଞ୍ଚଳକୁ ଯିବାକୁ ବାରଣ କରାଯାଇଛି ।
![Satkoshia](https://etvbharatimages.akamaized.net/etvbharat/prod-images/od-ang-02-angul-crockdile-baby-birth-avo-7202779_03082020124842_0308f_1596439122_79.jpg)
ଚଳିତବର୍ଷ ଜାନୁୟାରୀ ୯ ରୁ ୧୧ ତାରିଖ ଯାଏଁ ହୋଇଥିବା ଗଣନାରେ ଅନୁଗୋଳ ବନମଣ୍ଡଳରେ ମୋଟ୍ ୧୩୧ଟି କୁମ୍ଭୀର ଥିବା ଜଣାପଡିଥିଲା । ତେବେ ସାତକୋଶିଆ ମହାନଦୀ ଗଣ୍ଡରେ ଏତେ ସଂଖ୍ୟକ କୁମ୍ଭୀର ଛୁଆ ଜନ୍ମ ହେବା ଶୁଭ ସଙ୍କେତ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ