ଅନୁଗୋଳ: ମାନଚିତ୍ରରୁ ହଜିବାକୁ ବସିଛି ଏକ ରାଜସ୍ବ ଗ୍ରାମ । ହାତୀଙ୍କ ଆତଙ୍କରେ ଖାଲି ହେବାକୁ ବସିଛି ଅନୁଗୋଳ ଜିଲ୍ଲା ମାଣିକଯୋଡ ପଞ୍ଚାୟତର ଖଳାମ୍ବ ଗାଁ । ଯେଉଁଠାରେ ପୂର୍ବରୁ 40 ରୁ ଅଧିକ ପରିବାର ବସବାସ କରୁଥିବା ଆଜି ସେଠାରେ ମାତ୍ର 6ଟି ପରିବାରର 15 ଜଣ ରହୁଛନ୍ତି । ଦୁର୍ଗମ ତଥା ଅପହଞ୍ଚ ଇଲାକାରେ ସବୁବେଳେ ବଣୁଆ ହାତୀଙ୍କ ଉପଦ୍ରବ ଜାରି ରହିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରୁନାହଁ । ଫଳସ୍ବରୂପ ନିଶ୍ଚିହ୍ନ ହେବାକୁ ବସିଛି ଖଳାମ୍ବ ।
ଘର ଦୁଆର ମୁହଁ ହାତୀ । ଦିନ ହେଉ ରାତି ଏଠି ଗଜରାଜ ଆତଙ୍କ ଦେଖିବାକୁ ମିଳେ । ସନ୍ଧ୍ୟା ନ ହେଉଣୁ ତାଟି କବାଟ ପକାଇ ଦିଅନ୍ତି ଗ୍ରାମବାସୀ । ଘଞ୍ଚ ଓ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ହତିପଲକୁ ଅନ୍ୟତ୍ର ଘଉଡାଇବା ସମ୍ଭବ ହୋଇପାରେ ନାହିଁ । ତେଣୁ ଉଭୟ ଜୀବନ ଓ ଜୀବିକା ଉଜୁଡି ଯିବାରୁ ଲୋକେ ଗାଁ ଛାଡି ଅନ୍ୟତ୍ର ଚାଲିଗଲେଣି । ଏବେ ରହୁଥିବା ହାତଗଣତି ଗ୍ରାମବାସୀ ଅତ୍ୟନ୍ତ ଦୁର୍ଦ୍ଦଶାରେ ଦିନ କାଟୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଚାରିଆଡେ ଘଞ୍ଚ ଜଙ୍ଗଲ ଓ ପାହାଡ ଘେରା ମଝିରେ ଖଳାମ୍ବ ଗାଁ । ଗାଁ ଭିତରକୁ ଯିବାକୁ ହେଲେ 5 ରୁ 6 କିମି ଦୁର୍ଗମ ଜଙ୍ଗଲ ଭିତରେ ଯିବାକୁ ପଡେ । ଆଉ ଏହା ପରେ ମାଣିକ ଯୋଡି ମୁଖ୍ୟ ସଡକ । ରାସ୍ତା ଆଦୌ ନଥିବାବେଳେ ବାହ୍ୟ ଜଗତରୁ ବିଚ୍ଛନ୍ନ ହୋଇପଡିଛି । ଏମାନଙ୍କର ମୁଖ୍ୟ ଜୀବିକା ଚାଷବାସ କରିବା । କିନ୍ତୁ ବର୍ଷ ବର୍ଷ ଦଇ ଏପର ହାତୀ ଆତଙ୍କ ଯୋଗୁଁ ଫସଲ ଖାଇ ନଷ୍ଟ କରିବା ଘରଦ୍ବାରା ଦଳିଚକଡି ଭାଙ୍ଗିବା ଦେଉଛନ୍ତି । ଫଳରେ ଏବେ ଜୀବନ-ଜୀବିକାକୁ ସଂରକ୍ଷିତ ରଖିବାକୁ ଗାଁ ଛାଡୁଛନ୍ତି ଲୋକେ ।
ସେପଟେ, ବନ୍ୟଜନ୍ତୁ ଓ ବନ ବିଭାଗର କଟକଣା ଗାଁର ବିକାଶରେ ବାଧକ ସାଜିଛି । ବନ ବିଭାଗ ହାତୀ ସୁରକ୍ଷା ପାଇଁ ଅଧିକ କିନ୍ତୁ ଲୋକଙ୍କ ସୁବିଧା ପାଇଁ କମ ଚିନ୍ତା କରୁଛନ୍ତି। ଫଳରେ ବର୍ଷ ବର୍ଷ ଧରି ଅବହେଳିତ ଲୋକେ ବାଧ୍ୟ ହୋଇ ଗାଁ ଛାଡୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ