ଅନୁଗୋଳ: ଅନୁଗୋଳ ବ୍ଲକର ସାହାଡ଼ା ଗୋଡ଼ା ଗାଁ । ଯେଉଁଠି ପ୍ରାୟ ୨ଶହରୁ ଅଧିକ ପରିବାର ବସବାସ କରନ୍ତି । ଗାଁ ନିକଟରେ ରହିଛି ପ୍ରାୟ ୫ଏକରରୁ ଅଧିକ ଆୟତନ ବିଶିଷ୍ଟ ଏକ ପୋଖରୀ । ବର୍ଷା ହେଲେ ସେହି ପୋଖରୀରେ ପାଣି ରହେ । ଲୋକେ ସେହି ପାଣିକୁ ବ୍ୟବହାର କରି ପ୍ରାୟ ସାଢ଼େ ୪ଶହ ଏକର ଜମିରେ ଧାନ ଚାଷ କରନ୍ତି । ପୂର୍ବ ପୁରୁଷରୁ ପୋଖରୀ ପାଣିକୁ ଜଳ ସେଚନର ବ୍ୟବହାର କରି ଆସୁଛନ୍ତି । ରେକର୍ଡ଼ରେ ସରକାରୀ ପୁରାତନ ପତିତ ବୋଲି ଉଲ୍ଲେଖ ଅଛି । କିନ୍ତୁ ଜଣେ ଅଣ ଓଡିଆ ପ୍ରଭାବଶାଳୀ ବ୍ୟକ୍ତି ଗତ କିଛିଦିନ ହେଲା ସେଠାରେ ଏକର ଏକର ଜମି କିଣି ସମତୁଲ କରୁଛି। ।
ଏଭଳି ହେଲେ ସେହି ପୋଖରୀଟି ଆଉ ଗ୍ରାମବାସୀଙ୍କ ଅଧୀନରେ ରହି ପାରିବ ନାହିଁ । ଫଳରେ ଲୋକେ ପାଣି ପାଇବେ ନାହିଁ। ଗତ କିଛି ଦିନ ପୂର୍ବେ ପୋଖରୀ ଖନନ ହେଉଥିବା ଜାଣିପାରି ଶତାଧିକ ଗ୍ରାମବାସୀ ସେଠାକୁ ଯାଇ କାମ ବନ୍ଦ କରିବା ସହ ତହସିଲଦାରଙ୍କୁ ଖବର ଦେଇଥିଲେ । ଅତିରିକ୍ତ ତହସିଲଦାର ପହଞ୍ଚି ଖନନ କାର୍ଯ୍ୟରେ ବ୍ୟବହାର ମେସିନ ଜବତ କରି କାମ ବନ୍ଦ କରିଥିଲେ । ତେବେ ପୁଣି ଥରେ ଖନନ କାମ ଚାଲିଥିବାରୁ ଗ୍ରାମବାସୀ ଏହାର ବିରୋଧ କରିଛନ୍ତି। ଜୀବନ ଥିବା ଯାଏଁ ଗାଁ ପୋଖରୀକୁ ଛାଡ଼ିବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।
ଅନୁସନ୍ଧାନରୁ ଜଣା ପଡ଼ିଛି ସେହି ପୋଖରୀଟି ଉକ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାଁରେ ପଟ୍ଟା ହୋଇ ସାରିଛି । ଏଠାରେ ପ୍ରଶ୍ନ ଉଠୁଛି ସରକାରୀ ଜମି କେମିତି ତାଙ୍କ ନାଁରେ ପଟ୍ଟା ହେଲା । ଏହାଛଡା ବ୍ଲକ ତରଫରୁ ବିଗତ ବର୍ଷ ମାନଙ୍କରେ ଦୁଇ ଥର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ସେହି ପୋଖରୀ ଖନନ କରାଯାଇଛି । ବର୍ତ୍ତମାନ ମଧ୍ୟ ପୋଖରୀରୁ ଚାଷ ଜମିକୁ ସଂଯୋଗ କରୁଥିବା କେନାଲ କାମ ଚାଲିଛି । ଗ୍ରାମବାସୀ ଶ୍ରମିକ ଭାବେ ନିୟୋଜିତ ମଧ୍ୟ ହୋଇଛନ୍ତି । ଏତେ ସତ୍ତ୍ୱେ ପରେବି ଅନ୍ୟ ଜଣଙ୍କ ନାଁରେ ପଟ୍ଟା କେମିତି ହେଲା ଓ ପ୍ରଶାସନ ଏହା କେମିତି ଜାଣି ପାରିଲା ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ସବୁ ସାମ୍ନାକୁ ଆସିଯିବ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ଅନ୍ୟପକ୍ଷରେ କୌଣସି ସରକାରୀ ଅଧିକାରୀ କ୍ୟାମେରା ଆଗରେ କିଛି କହିବାକୁ ସ୍ପଷ୍ଟ ମନା କରିଦେଇଛନ୍ତି ।