ଅନୁଗୋଳ: ଦିନ ଥିଲା ବାଉଁଶ ପାତିଆରେ ତିଆରି ହେଉଥିବା ଘରକରଣାର ବେଶ ଲୋକପ୍ରିୟ ଥିଲା । ବାଉଁଶ ବିଞ୍ଚଣାଠୁ ଆରମ୍ଭ କରି କୁଲା, ଟୋକେଇ ଆଦିର ଅନେକ ଆଦର କରୁଥିଲେ ସଭିଏଁ । ହେଲେ ଏବେ ଆଧୁନିକତା ମଧ୍ୟରେ ଏସବୁ ଜିନିଷ ପ୍ରତି ଥିବା ଆଦର କମି ଯାଇଛି । ଆଉ ଏହାକୁ ବୃତ୍ତି କରି ବଞ୍ଚୁଥିବା ମଣିଷଟି ନିଜ କୌଳିକ ବୃତ୍ତି ବଞ୍ଚାଇବାକୁ ନେଇ ଚିନ୍ତାରେ । ଅନ୍ୟପଟେ ବୋଝ ଉପରେ ନଳିତା ବିଡା ସାଜିଛି ସରକାରୀ କଟକଣା ।
ବାଉଁଶ କାରିଗରିର ଚାହିଦା କମିଯାଇଛି, ହେଲେ ଏବେ ବି ରହିଛି ଆବଶ୍ୟକତା । ଆଉ ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଲାଗି ପଡିଛନ୍ତି କାରିଗର । ଏବେ ବି ପ୍ରସ୍ତୁତ ହେଉଛି ବାଉଁଶରେ ତିଆରି କୁଲା, ଟୋକେଇ ଓ ଡାଲା ଆଦି ଘରକରଣା ଜିନିଷ । ଏ ଚିତ୍ର ହେଉଛି ଛେଣ୍ଡିପଦା ବ୍ଲକ ପରଙ୍ଗ ପଞ୍ଚାୟତରେ ରହୁଥିବା ଏହି ବାଉଁଶ କାରିଗର ପରିବାରଙ୍କର । ମାହାର ସମ୍ପ୍ରଦାୟ ଭାବେ ଜଣାଯାଉଥିବା ଏହି କାରିଗରମାନେ ବର୍ଷ ବର୍ଷ ଧରି ନିଜ ବାପ ଅଜା ଅମଳରୁ ଆପଣାଇଛନ୍ତି ଏହି ବୃତ୍ତି ।
ପୂର୍ବେ ଜଙ୍ଗଲରୁ ବାଉଁଶ ଆଣି ଏ ସମସ୍ତ ଘରକରଣା ଜିନିଷ ତିଆରି କରି ବିକ୍ରି ହେଉଥିଲା । ହେଲେ ଏବେ ଜଙ୍ଗଲ ବିଭାଗର କଟକଣା ଯୋଗୁଁ ଆଉ ସୁବିଧାରେ ମିଳିପାରୁନି ଜଙ୍ଗଲର ବାଉଁଶ । ଫଳରେ ଚଢା ଦରରେ ବାଉଁଶ କିଣି ପେଟ ପାଇଁ ଦି’ ଓଳିର ଦାନା ଯୋଗାଡୁଛନ୍ତି ଏମାନେ । ହେଲେ ବିଡମ୍ବନାର କଥା କି ଏତେ ପରିଶ୍ରମର ମୂଲ୍ୟ ବଜାରରେ ଆଶାଠାରୁ ମଧ୍ୟ ଢେର କମ୍ ।
ତେବେ ଖାଲି ଯେ ସରକାରୀ କଟକଣା ତାହା ନୁହେଁ ବରଂ ଏବେ ବାଉଁଶ ତିଆରି ଜିନିଷର ଚାହିଦା କମିଥିବାରୁ ସଠିକ ମୂଲ୍ୟ ମଧ୍ୟ ଲୋକେ ଦେବାକୁ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି । ଫଳରେ ଏମାନଙ୍କୁ ପରିଶ୍ରମ ତୁଳନାରେ ମିଳୁ ନାହିଁ ପାରିଶ୍ରମିକ । ପଞ୍ଚାୟତର ମାହାର ସାହିରେ ରହୁଥିବା ଏହି ସମ୍ପ୍ରଦାୟ ପ୍ରତି ସତେ ଯେମିତି କାହାରି ନଜର ପଡୁନାହିଁ । ଅଭାବ ଅନଟନ ମଧ୍ୟରେ ବିତୁଛି ଏମାନଙ୍କ ଜୀବନ । ଓଳିଏ ଖାଇଲେ ଓଳିଏ ଉପାସ ରହିବାକୁ ପଡୁଛି ଏମାନଙ୍କୁ ।
ଆଗରୁ ବାଉଁଶ ତିଆରି ଜିନିଷ କିଣିବାକୁ ଲୋକଙ୍କ ଭିଡ ଜମୁଥିବା ବେଳେ ଏବେ ପାଖ ବଜାର ଓ ଗାଁକୁ ଯାଇ ବୁଲି ବୁଲି ବିକିବାକୁ ପଡୁଛି ନିଜ ହାତ ତିଆରି ଜିନିଷ । ତେବେ ସେମାନଙ୍କ ଦାବି ହେଲା ଦୀର୍ଘ ବର୍ଷ ହେବ ସେମାନେ ନିଜର ବୃତ୍ତିକୁ ବଞ୍ଚାଇ ରଖିଥିଲେ ବି ତାଙ୍କ ଉପରେ କାହାରି ନଜର ପଡୁନାହିଁ । ଯଦି ସରକାରୀ ପ୍ରୋତ୍ସାହନ ମିଳେ ତେବେ ସେମାନେ ଆଉ ଟିକେ ଆଗକୁ ବଢି ପାରନ୍ତେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ