ଅନୁଗୋଳ: ସାରା ଜୀବନ ଯାହାଙ୍କର ବିତିଥିଲା ଫତେଇ ଓ ଧୋତିରେ । ଜାତିର ଜନକ ମହାତ୍ମା ଗାନ୍ଧୀ ଥିଲେ ଯାହାଙ୍କର ଆଦର୍ଶ । କିନ୍ତୁ, ତାଙ୍କ ଅବର୍ତ୍ତମାନରେ ତାଙ୍କ ପ୍ରତିମୂର୍ତ୍ତିକୁ ପିନ୍ଧା ଯାଇଛି ବେକ ଚିପା ସାର୍ଟ, ବୁଟ୍ ସାଙ୍ଗକୁ ପ୍ୟାଣ୍ଟ୍ । ଏଭଳି ଧୃଷ୍ଟତା କରିଛି ଅନୁଗୋଳ ପୌରପାଳିକା । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନବ କୃଷ୍ଣ ଚୌଧୁରୀ ଭଳି ଜଣେ ଗାନ୍ଧୀବାଦୀ ନେତାଙ୍କୁ ପ୍ରଶାସନ ସଜେଇ ଦେଇଛି ବିଲାତି ହାକିମ । ନିଜର ନୀତି ସହିତ କେବେ ସାଲିସ କରି ନଥିବା ମହାନ ପୁରୁଷଙ୍କ ପ୍ରତି ଅପମାନ ହୋଇଛି । ଯାହାକୁ ନେଇ ଅନୁଗୋଳ ଜିଲ୍ଲାବାସୀଙ୍କ ମନରେ ଉଦବେଗ ପ୍ରକାଶ ପାଇଛି ।
ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀ ଜଣେ ଉଦାର, ଦୟବାନ, ପରୋପକାରୀ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ । ତାଙ୍କର ସରଳ ଜୀବନ ଯାପନ ପାଇଁ ସବୁବେଳେ ଆଦୃତ ହୋଇ ଆସୁଥିଲେ । ସେଥିପାଇଁ ସେ ଅନୁଗୋଳଠାରେ ଏକ ଆଶ୍ରମ ସ୍ଥାପନ କରିଥିଲେ । ଆଜି ପର୍ଯ୍ୟନ୍ତ ଏହି ଆଶ୍ରମ ରହି ଛି। ପିଲାଟି ବେଳରୁ ସେ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆସୁଥିଲେ । ତେଣୁ କଲେଜ ପାଠ ପଢିବା ସମୟରେ ମଧ୍ୟ ଧୋତି, କୁର୍ତ୍ତା ଏବଂ ଖଦି ପରିଧାନ କରୁଥିଲେ । ଗତ ୧୯୫୦ରୁ ୧୯୫୬ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ନବକୃଷ୍ଣ ଚୌଧୁରୀ । ଏତେ ବଡ଼ ପଦବୀରେ ରହି ମଧ୍ୟ ସାଧାରଣ ଲୋକଙ୍କ ଭଳି ଥିଲା ତାଙ୍କର ରହଣି ଏବଂ ଦିନଚର୍ଯ୍ୟା । ତାଙ୍କ ଭଳି ଏକ ମହାନ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତିକୁ ପ୍ରଶାସନ ତରଫରୁ ସ୍ଥାନୀୟ ଗାନ୍ଧୀ ପାର୍କ ଠାରେ ଗତ ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ଅବସରରେ ସ୍ଥାପନ କରାଯାଇଛି । ହେଲେ ସ୍ବର୍ଗତ ଚୌଧୁରୀଙ୍କୁ ଧୋତି ଏବଂ ଖଦଡ଼ ପରିବର୍ତ୍ତେ ନବାବ ଢାଞ୍ଚାରେ ପ୍ୟାଣ୍ଟ ଏବଂ କୋଟ ପିନ୍ଧା ଯାଇଛି। ଏହାକୁ ଦେଖିବା ପରେ ସ୍ବର୍ଗତ ଚୌଧୁରୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷମାନେ ଉଦବେଗ ପ୍ରକାଶ କରିଛନ୍ତି । ଏଭଳି ପ୍ରତିମୂର୍ତ୍ତି ତାଙ୍କ ପ୍ରତି ଅପମାନ ଏବଂ ତାଙ୍କର ସରଳ ଜୀବନଯାପନ ପ୍ରତି ଏକ ଅଟ୍ଟହସ୍ୟ ବୋଲି ଅଭିଯୋଗ କରିଛନ୍ତି ।
ପ୍ରଶାସନ ତରଫରୁ ଏଭଳି ବ୍ୟକ୍ତିତ୍ୱମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରିବା ନିଶ୍ଚିତ ଭାବେ ପ୍ରଶଂସନୀୟ । ହେଲେ ସେମାନଙ୍କ ସରଳ ଜୀବନ ଯାପନ, ସମାଜ ପ୍ରତି ଅବଦାନ, ବଳିଦାନ ଏସବୁର ଓଲଟା ଚିତ୍ର ପରିଲକ୍ଷିତ ହେଲେ ଆଗାମୀ ପିଢ଼ି କଣ ଜାଣିବେ ବୋଲି ପ୍ରଶ୍ନ ଉଠୁଛି । ସ୍ବର୍ଗତ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପୂର୍ବରୁ ପ୍ରଶାସନ କାହା ସହିତ ଆଲୋଚନା କରିନାହିଁ । କୌଣସି ଗାନ୍ଧିବାଦୀ ଏବଂ ସ୍ୱର୍ଗତ ଚୌଧୁରୀଙ୍କ ସହ ମିଶି କାମ କରିଥିବା ଜଣେ ହେଲେ ବ୍ୟକ୍ତିଙ୍କୁ ପଚାରି ନାହିଁ । ତେଣୁ କିଏ ଏଭଳି ବିକୃତ ପ୍ରତିମୂର୍ତ୍ତି ନିର୍ମାଣ କଲା ବୋଲି ଆଲୋଚନା ହେଉଛି । ଏନେଇ ନବକୃଷ୍ଣ ଚୌଧୁରୀଙ୍କ ଝିଅ ତଥା ଆଶ୍ରମର ପରିଚାଳିକା କ୍ରୀଷ୍ଣା ମହାନ୍ତି କହିଛନ୍ତି, "ଜାଣିବା ବୟସରୁ କେବେ ବାପାଙ୍କୁ ଧୋତି ଓ ଫତେଇ ଛଡା ଅନ୍ୟ କିଛି ପରିଧାନ କରିବା ଦେଖିନାହିଁ । ଏପରିକି କଲେଜ ପାଠ ପଢିବା ବେଳେ ମଧ୍ୟ ଧୋତି ଓ କୁର୍ତ୍ତା ପିନ୍ଧୁଥିବା ଶୁଣିଛି । ତେଣୁ ପ୍ୟାଣ୍ଟ ଓ କୋଟ ପିନ୍ଧିଥିବା ପ୍ରତିମୂର୍ତ୍ତି କିଏ କଲା ଏବଂ କାହା କଥାରେ କଲା ତାହା ଜାଣିନାହିଁ ।" ତେଣୁ ପ୍ରଶାସନ ତରଫରୁ ଏହାକୁ ଉଠାଇ ଆଉ ଏକ ପ୍ରକୃତ ମୂର୍ତ୍ତି ସ୍ଥାପନ କରିବାକୁ ଲୋକେ ଦାବି କରିଛନ୍ତି ।
ଇଟିଭି ଭାରତ, ଅନୁଗୋଳ