ଅନୁଗୋଳ:ମହାନଦୀରେ ବନ୍ୟା ଯୋଗୁଁ ଅନୁଗୋଳ ଜିଲ୍ଲାର ଟିକରପଡା ପଞ୍ଚାୟତ ଓ ଆଠମଲ୍ଲିକ ବ୍ଲକର ୧୧ଟି ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଛି । ବନ୍ୟା ପିଡିତଙ୍କ ପାଇଁ ୩ଟି ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଥିବା ବେଳେ ୩୫୦ ବିପନ୍ନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରଣ କରାଯାଇଛି । ହୀରକୁଦରୁ ୮ଟି ଗେଟ ବନ୍ଦ କରା ଯାଇଥିଲେ ମଧ୍ୟ ଏବେ ସାତକୋଶିଆ ଗଣ୍ଡରେ ଜଳ ସ୍ତର ବୃଦ୍ଧି ପାଉଛି । ଆଗକୁ ସ୍ଥିତି ଆହୁରି ଗମ୍ଭୀର ହେବାର ସମ୍ଭାବନା ରହିଥିବାରୁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରା ଯାଉଥିବା ନେଇ ସୂଚନା ଦେଇଛନ୍ତି ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ।
ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବୀତ କରିବା ନିମନ୍ତେ ସ୍ଥାନୀୟ ଅଗ୍ନିଶମ ବାହିନୀ ଛଡା ଆଉ ଏକ ଓଡ୍ରାଫ୍ଟ ଟିମ ନିୟୋଜିତ କରାଯାଇଛି । ଅନୁଗୋଳ ବ୍ଲକର ଗଇନ୍ଦି, ବେହେରା ସାହି ଓ ମଝିପଡା ସମେତ ଆଠମଲ୍ଲିକ ବ୍ଲକର କୁଦଗାଁର ଆଉ କିଛି ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଯୋଜନା କରାଯାଉଛି । କ୍ଷତିଗ୍ରସ୍ତ ଅଞ୍ଚଳରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ବିଡ଼ିଓ ଏବଂ ତହସିଲଦାର ମାନେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ତେଣୁ ଆଗକୁ କେଉଁ ଭଳି ସ୍ଥିତି ହେବ ତାହା ସ୍ପଷ୍ଟ ଜଣା ପଡି ନଥିଲେ ମଧ୍ୟ ପ୍ରଶାସନ ସମସ୍ତ ଆଗୁଆ ପଦକ୍ଷେପ ନେଇଥିବା ଜିଲାପାଳ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ଅନୁଗୋଳ